ବିଜେଡିକୁ ନେଇ ଆସିଲା ବଡ଼ ଖବର, ରାଜନୀତିରେ ଚହଳ

ଭୁବନେଶ୍ୱର, ୧୨।୧୦ (ସୁନିତ୍‌ ମିଶ୍ର): ୨୦୨୬ ଏପ୍ରିଲରେ ଓଡିଶାରୁ ୪ ରାଜ୍ୟ ସଭା ଆସନ ଖାଲି ହେବ। ରାଜ୍ୟ ସଭା ସଦସ୍ୟ ମୁଜିବୁଲ୍ଲା ଖାନ(ମୁନା), ନିରଞ୍ଜନ ବିଶି, ସୁଜିତ କୁମାର ଓ ମମତା ମହନ୍ତଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି। ତେଣୁ ଏହି ୪ ଆସନ ପାଇଁ ନିର୍ବାଚନ ରୋଚକପୂର୍ଣ୍ଣ ହେବ ବୋଲି ଯାହା ଆକଳନ କରାଯାଉଥିଲା ସେହି ଅଙ୍କରେ ଶୁକ୍ରବାର ପରିବର୍ତ୍ତନ ହୋଇଯାଇଛି। ଖାଲି ହେବାକୁ ଥିବା ଏହି ୪ ଆସନର ନିର୍ବାଚନକୁ ନେଇ ଗତ ଜୁଲାଇ ୧୧ ତାରିଖରେ ଧରିତ୍ରୀରେ ‘ନବୀନ ବିକିବେ ନା ନେତା ଚେତିବେ’ ସମ୍ପର୍କିତ ଏକ ଖବର ପ୍ରକାଶ ପାଇଥିଲା। ସେହି ଖବରରେ ମୁଖ୍ୟତଃ ଖାଲି ହେବାକୁ ଥିବା ରାଜ୍ୟ ସଭାର ଚାରୋଟି ଆସନ ମଧ୍ୟରୁ ୪ର୍ଥ ସିଟ୍‌କୁ ନେଇ ରାଜନୀତି ରୋଚକପୂର୍ଣ୍ଣ ହେବ ବୋଲି ଉଲ୍ଲେଖ କରାଯାଇଥିଲା। ରାଜ୍ୟ ସଭା ଭୋଟିଂର ଗଣିତକୁ ମଧ୍ୟ ଅତି ସରଳ ଭାବରେ ସେହି ଖବରରେ ବୁଝାଇ ଦିଆଯାଇଥିଲା। ଆସନ୍ତା ରାଜ୍ୟ ସଭା ନିର୍ବାଚନରେ ୪ର୍ଥ ଆସନ ଲାଗି ଉଭୟ ବିଜେଡି ଏବଂ ଭାଜପା ପାଖରେ ସମାନ ସଂଖ୍ୟକ ଭୋଟ ରହିବ ବୋଲି ଆଶା କରାଯାଉଥିଲା। ହେଲେ ନୂଆପଡା ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ବିଜେଡିର ଗୋଟିଏ ସଂଖ୍ୟା ଖସିଯାଇଛି। ଉପନିର୍ବାଚନ ଫଳ ବାହାରିବା ପରେ ହିଁ ବିଜେଡି ତା’ର ପୂରୁଣା ସଂଖ୍ୟା ରଖିପାରିଲା କି ନାହିଁ ଜଣାପଡିଯିବ। ହେଲେ ଶନିବାର ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଭାଜପାରେ ମିଶିଯିବା ପରେ ବିଜେଡି ତା’ର ପୂର୍ବ ସଂଖ୍ୟା ରଖିବାକୁ ଚାହୁଁ ନ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗତ ମାସ ୭ରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନୂଆଦିଲ୍ଲୀ ଗସ୍ତରେ ଯାଇ ଶୁକ୍ରବାର(ଗତକାଲି) ଫେରିଛନ୍ତି। ଜୟ ଗତ ଗୁରୁବାର ନୂଆଦିଲ୍ଲୀ ଗସ୍ତରେ ଯାଇ ଶନିବାର ଫେରିବା ପରେ ଭାଜପାରେ ଯୋଗ ଦେଇଛନ୍ତି। ଏହା ଭିତରେ ରାଜ୍ୟ ସଭା ଆସନକୁ ନେଇ ବିଜେଡି ଏବଂ ଭାଜପାର କେନ୍ଦ୍ରୀୟ ନେତାଙ୍କ ଭିତରେ ବୁଝାମଣା ହୋଇଗଲା ବୋଲି କେନ୍ଦ୍ରୀୟ ଗୋଇନ୍ଦା ବିଭାଗର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ସୂଚନାଯୋଗ୍ୟ, ବର୍ତ୍ତମାନ ବିଧାନସଭାରେ ଭାଜପା ପାଖରେ ୭୮ ବିଧାୟକ ରହିଛନ୍ତି। ୩ ଜଣ ସ୍ବାଧୀନ ବିଧାୟକ ଭାଜପାକୁ ସମର୍ଥନ ଦେଇ ଶାସକ ଦଳ ସାଙ୍ଗରେ ଅଛନ୍ତି। ଏହିପରି ବିଧାନସଭାରେ ଭାଜପା ସଂଖ୍ୟା ୮୧ ରହିଛି। ବିଜେଡିର ୫୧ ବିଧାୟକ ଗତ ନିର୍ବାଚନରେ ଜିତିଥିବାବେଳେ ରାଜେନ୍ଦ୍ରଙ୍କ ଦେହାନ୍ତ ପରେ ଏହି ସଂଖ୍ୟା ୫୦ରେ ପହଞ୍ଚିଛି। କଂଗ୍ରେସର ୧୪ ବିଧାୟକ ଥିବାବେଳେ ଜଣେ ସିପିଆଇ(ଏମ୍‌) ସଦସ୍ୟ ରହିଛନ୍ତି। ଗଣିତ ଅନୁଯାୟୀ ହେବାକୁ ଥିବା ଆଗାମୀ ରାଜ୍ୟ ସଭା ନିର୍ବାଚନରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ଲାଗି ୩୦ ଖଣ୍ଡ ଭୋଟ ଆବଶ୍ୟକ। ସେହି ଦୃଷ୍ଟିରୁ ଦେଖିଲେ ଦୁଇଟି ଆସନରେ ଭାଜପା ନିଶ୍ଚିତ ବିଜୟୀ ହେଇଯିବ। ବିଜେଡି ମଧ୍ୟ ଗୋଟିଏ ଆସନରେ ବିଜୟୀ ହେବା ଏକପ୍ରକାର ନିଶ୍ଚିତ। ହେଲେ ୪ର୍ଥ ଆସନ ଲାଗି ବର୍ତ୍ତମାନ ସ୍ଥିତିରେ ଭାଜପା ପାଖରେ ୨୧ ସଂଖ୍ୟା ଥିବାବେଳେ ବିଜେଡି ସଂଖ୍ୟା ୨୦ରେ ପହଞ୍ଚିଛି। ନୂଆପଡା ଆସନକୁ ବିଜେଡି ପୁନର୍ବାର ଦଖଲ କରିବା ପାଇଁ ଜୟଙ୍କୁ ପ୍ରାର୍ଥୀ କରିବ ବୋଲି ତାଙ୍କ ଦଳର ବହୁ ନେତା କାମରେ ଲାଗିଥିଲେ। ଏହା ହୋଇଥିଲେ ବିଜେଡି ଅନୁକମ୍ପାମୂଳକ ଭୋଟ ପାଇ ବିଜୟୀ ହେବାର ସମ୍ଭାବନା ରହିବ ବୋଲି ଦଳୀୟ ନେତାମାନେ ଚିନ୍ତା କରୁଥିଲେ। ହେଲେ ଗୁରୁବାର ପର୍ଯ୍ୟନ୍ତ ସବୁକିଛି ଠିକ୍‌ ଥିବା ଅଙ୍କ ନବୀନ ଫେରିବାର ପରଦିନ କିପରି ବଦଳିଗଲା ତାକୁ
ନେଇ ନାନା ଚର୍ଚ୍ଚା ହେବାରେ ଲାଗିଛି। ମନେ କରାଯାଉ, ନୂଆପଡା ଆସନ ଯଦି ବିଜେଡି ହାତରେ ରାଜ୍ୟ ସଭା ନିର୍ବାଚନ ପର୍ଯ୍ୟନ୍ତ ସ୍ବଭାବିକ ଭାବେ ଥାଆନ୍ତା ତାହାଲେ ୪ର୍ଥ ଆସନ ଜିତିବା ଲାଗି ସେମାନଙ୍କୁ ନିଶ୍ଚିତରୂପେ କଂଗ୍ରେସ ଏବଂ ସିପିଆଇ(ଏମ୍‌) ଦଳର ସହଯୋଗ ନେବା କିମ୍ବା ଦେବାକୁ ପଡିଥାଆନ୍ତା। ହେଲେ ଯେଉଁମାନେ ବିଧାନସଭାର ଗତ ମୌସୁମୀ ଅଧିବେଶନ ବେଳେ କଂଗ୍ରେସ ରାଜ୍ୟ ସରକାର ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବ ସମୟରେ ବିଜେଡି ଆଭିମୁଖ୍ୟ ଦେଖିଥିବେ ସେମାନେ ଅନେକ କିଛି ବୁଝିପାରିଥିବେ। ସରକାର ବିରୋଧରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ ନ ଦେଇ ସମଦୂରତା କଥା କହି ଏଡାଇ ଯାଇଥିଲା। ସେହିପରି ଉପରାଷ୍ଟ୍ରପତି ଭୋଟିଂ ସମୟରେ ମଧ୍ୟ ବିଜେଡି ନିର୍ବାଚନରୁ ନିଜକୁ ବିରତ ରଖିଥିଲା। ଏହା ପରୋକ୍ଷରେ ଭାଜପା ପାଇଁ ସହାୟକ ହେଇଥିବା ଚର୍ଚ୍ଚା ହେଲା। ଏଥିରୁ ହିଁ ରାଜନୈତିକ ସମୀକ୍ଷକମାନେ ଆକଳନ କରିସରିଛନ୍ତି ରାଜ୍ୟ ସଭା ଭୋଟିଂରେ କଂଗ୍ରେସ ସମର୍ଥନରେ ବିଜେଡି ୪ର୍ଥ ଆସନ ରଖିବ ନାହିଁ। ଯଦି ରାଜେନ୍ଦ୍ରଙ୍କ ଦେହାନ୍ତ ନ ହୋଇ ସ୍ବାଭାବିକ ଭାବେ ଏହି ସମୟ ଆସିଥାଆନ୍ତା ତେବେ ସେତେବେଳେ ବିଜେଡି ଲାଗି ଏକ ଅକଡିଆ ପରିସ୍ଥିତି ସୃଷ୍ଟି ହେଇଥାଆନ୍ତା। ରାଜ୍ୟରେ ବିଜେଡି ସରକାର ଥିବା ସମୟରେ ବର୍ତ୍ତମାନର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସଂଖ୍ୟା ଥିବା ସତ୍ତ୍ୱେ ବିଜେଡି ସମର୍ଥନ କରି ଭାଜପା ପ୍ରାର୍ଥୀ ଭାବେ ଦୁଇ ଥର ରାଜ୍ୟ ସଭାକୁ ପଠାଇସାରିଛି। ଅର୍ଥାତ୍‌ ଆସନ୍ତା ରାଜ୍ୟ ସଭା ନିର୍ବାଚନରେ ୪ର୍ଥ ଆସନ କୌଣସି ମତେ କିପରି ଭାଜପା ହାତରୁ ନ ଖସିବ ସେଥିପାଇଁ ବିଜେଡି ସବୁ ପ୍ରକାର କାର୍ଯ୍ୟ କରିଥାଆନ୍ତା। ହେଲେ ବିଗତ ଦିନର ଭାଜପା ପ୍ରତି ରହି ଆସିଥିବା ଏହି ପ୍ରୀତି ବିଜେଡି ପାଇଁ ଏବେ ଯେତେବେଳେ କାଳ ହେଉଥିଲା, ରାଜେନ୍ଦ୍ରଙ୍କ ଦେହାନ୍ତ ବିଜେଡିଙ୍କୁ ଏକ ନୂଆ ସୁଯୋଗ ଦେଇଥିବା ଦେଇଥିବା ଦେଖାଯାଉଛି। ଏବେଠାରୁ ଯଦି ଗୋଟିଏ ଆସନ ଭାଜପା ହାତକୁ ଚାଲିଯିବ ତେବେ ସେତେବେଳେ ସମଦୂରତା କଥା କହି ପରୋକ୍ଷରେ ଭାଜପାକୁ ୪ର୍ଥ ରାଜ୍ୟ ସଭା ଆସନ ଟି ଦେଇଦେବାକୁ ବିଜେଡି ପାଇଁ ସହଜ ହେବ।

ସୂଚନା ମୁତାବକ, କର୍ପୋରେଟ ଦୁନିଆରୁ ଆସିଥିବା ଜଣେ ବ୍ୟକ୍ତି ଯାହାଙ୍କୁ ବିଜେଡି ଆସନ୍ତା ରାଜ୍ୟ ସଭା ନିର୍ବାଚନରେ ପ୍ରାର୍ଥୀ କରିବେ ବୋଲି ଚର୍ଚ୍ଚା ହେଉଛି ତାଙ୍କ ମାଧ୍ୟମରେ ଏହି ନୂଆ ରାଜନୈତିକ ଡିଲ୍‌ ହୋଇଥିବା ଶୁଣିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ନିଜ ମାଟିରେ ମରିବାକୁ ପ୍ରସ୍ତୁତ’: ମୃତ୍ୟୁଦଣ୍ଡାଦେଶ ପାଇବା ସତ୍ତ୍ୱେ ବାଂଲାଦେଶ ଫେରିବା ନେଇ ଅଟଳ ଶେଖ ହସିନା

ନୂଆଦିଲ୍ଲୀ/ଢାକା,୫।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ସ୍ପଷ୍ଟ କରିଛନ୍ତି ଯେ, ପରିଣାମ ଯାହା ହେଉନା କାହିଁକିଭାରତରୁ ଫେରିବା ପରେ ଯଦି ତାଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଗିରଫଦାରୀର…

ପାକିସ୍ତାନୀ ସେନାର ଅତ୍ୟାଚାର: ପ୍ରଦର୍ଶନକାରୀଙ୍କ ଉପରକୁ ଡ୍ରୋନରୁ ଗୁଳିଚାଳନା, ୩ ମୃତ

ଇସଲାମାବାଦ,୫।୧୧: ପାକିସ୍ତାନ ଅଧିକୃତ କଶ୍ମୀରରେ, ପାକିସ୍ତାନୀ ସେନା ସ୍ଥାନୀୟ ଜନସାଧାରଣଙ୍କ ଉପରେ କ୍ରମାଗତ ଭାବେ ଅତ୍ୟାଚାର ଚଳାଇଛି। ଗୁରୁବାର ସକାଳ ୫ଟା ସମୟରେ, ଡ୍ରୋନଗୁଡ଼ିକ ହଠାତ ଲୋକଙ୍କ…

ବାତ୍ୟା ଓ ବନ୍ୟାରେ ଫସଲ ନଷ୍ଟ, କ୍ଷତିପୂରଣ ଦାବିରେ ଗଞ୍ଜାମ ଜଲାପାଳଙ୍କ ଅଫିସ୍‌ ଆଗରେ ଚାଷୀଙ୍କ ଧାରଣା!

ଛତ୍ରପୁର,୫।୧୧(ଦିଲ୍ଲୀପ ସାମଲ) : ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି । ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ…

ଆଦର୍ଶ ବିଦ୍ୟାଳୟରୁ ବାଦ୍‌ ପଡ଼ିଲା ୪୨ ମୌଜା ପିଏମ୍‌ ବାଲୁଙ୍କେଶ୍ୱର ବିଦ୍ୟାପୀଠ

କଟକ ସଦର,୫ା୧୧(ସୁଶାନ୍ତ କୁମାର ଜେନା): ଆସନ୍ତା ୬ ତାରିଖରେ ରାଜ୍ୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏହି ଯୋଜନାରେ କଟକ ସଦର ବ୍ଲକ…

ବଡ଼ ଖବର: ସୂର୍ଯ୍ୟକୁମାର ଯାଦବ ପୁଣିଥରେ ଅଧିନାୟକ ଭାବେ ଫେରିବେ…

ନୂଆଦିଲ୍ଲୀ,୫।୧୧: ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏକ ଦୀର୍ଘ ବିରତି ପରେ କ୍ରିକେଟକୁ ଫେରିବାକୁ ଯାଉଛନ୍ତିଏଥର ସେ ଅଧିନାୟକ ଭାବରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ୨୦୨୬…

ଗିଡ଼ିପାବାଲି ଭୂସ୍ଖଳନ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଲା, ୩୦ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଜାଖୋଜି କରିବା ପରେ…

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗିଡ଼ିପାବାଲିରେ ଗତ ୨୮ ତାରିଖରେ ଭୂସ୍ଖଳନ ଯୋଗୁ ୧୩ ଜଣ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ…

IND vs NZ: ଦ୍ୱିତୀୟ ଦିନିକିଆରେ ମାତ୍ର ଗୋଟିଏ ରନ ସଂଗ୍ରହ କରି ବଡ଼ ରେକର୍ଡ ଭାଙ୍ଗିବେ ବିରାଟ କୋହଲି…

ନୂଆଦିଲ୍ଲୀ,୫।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଖରେ ଆଉ ଏକ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। ମାତ୍ର ଗୋଟିଏ…

ଫୁଟବଲ ଜଗତରୁ ଅବସର ନେଲେ କ୍ରିଷ୍ଟିଆନୋ ରୋନାଲ୍ଡୋ: ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ,୫।୧୧: ଫୁଟବଲ ଜଗତରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି। ପର୍ତ୍ତୁଗାଲର ମହାନ ଫୁଟବଲର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଗୁରୁବାର ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?