ବ୍ରହ୍ମପୁର,୧୬।୧୦: ବରିଷ୍ଠ ଆଇନଜୀବୀ ତଥା ବ୍ରହ୍ମପୁରର ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସକୁ ବଡ଼ ସୁରାକ ମିଳିଛି। ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ ଜଣେ ସାର୍ପ ସୁଟର୍ଙ୍କୁ ମାଡ଼ିବସିଛି। ବ୍ରହ୍ମପୁର ପୋଲିସ ବିହାରରୁ ୨ ଜଣଙ୍କୁ ଉଠାଇ ଆଣିଥିବା ଜଣାପଡ଼ିଛି। ଏହି ଦୁଇ ଜଣଙ୍କ ମଧ୍ୟରେ ଜଣେ ସାର୍ପ ସୁଟର୍ ଓ ଅନ୍ୟ ଜଣେ ରେକି ଟିମରେ ସାମିଲ ଥିବା ସୂଚନା ମିଳିଛି। ଅନ୍ୟପଟେ ପୀତବାସଙ୍କ ଘନିଷ୍ଠ ସହଯୋଗୀ ଓ ଜଣେ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଜେରା କରୁଥିବା ସୂଚନା ଆସିଛି।
ସୂଚନାଯୋଗ୍ୟ, ବ୍ରହ୍ମପୁର ବୈକୁଣ୍ଠ ନଗରସ୍ଥିତ ନିଜ ଘର ନିକଟରେ ଆଇନଜୀବୀ ତଥା ଭାଜପାର ସକ୍ରିୟ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା ଘଟଣାର ୭୨ ଘଣ୍ଟା ପରେ ବି ପୋଲିସ କାହାକୁ ଗିରଫ କରିନାହିଁ। ମୁଖ୍ୟମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ ସତ୍ତ୍ୱେ ଅଭିଯୁକ୍ତଙ୍କୁ ଚିହ୍ନଟ କରିପାରିନାହିଁ। ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି ବୋଲି ବାହାସ୍ପୋଟ ମାରୁଛି ପୋଲିସ। ଅଭିଯୁକ୍ତ ଚିହ୍ନଟ ନ ହେବା ଘଟଣାକୁ ନେଇ ସହରରେ ଭିନ୍ନ ଚର୍ଚ୍ଚା ଚାଲିଛି। ପୀତବାସ ରାଜନୀତିରେ ଏକ ପ୍ରମୁଖ ଚେହେରା ହୋଇଥିବାରୁ ହତ୍ୟାକାଣ୍ଡରେ କୌଣସି ରାଜନେତାଙ୍କ ସମ୍ପୃକ୍ତି ଥାଇପାରେ ବୋଲି କେତେଜଣ ଆଲୋଚନା କରୁଛନ୍ତି। ଏପରିକି ଏହି ହତ୍ୟାକାଣ୍ଡରେ ବାଲି ମାଫିଆ ସମ୍ପୃକ୍ତ ଥାଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି। ତାଙ୍କର ଯଦିଓ କେହି ଶତ୍ରୁ ନାହାନ୍ତି ବୋଲି ପରିବାର ପକ୍ଷରୁ କୁହାଯାଉଛି ତାକୁ ନେଇ ବି ଭିନ୍ନ ଭିନ୍ନ କଥା ଚର୍ଚ୍ଚା ହେଉଛି। ଏପଟେ ସମୟ ଗଡି ଚାଲିଥିବାରୁ ଅଭିଯୁକ୍ତଙ୍କୁ ଖସାଇବାକୁ ଯୋଜନା ହେଉଥିବା ନେଇ କେତେଜଣ କହୁଛନ୍ତି।
ପୋଲିସ ୬ଟି ଟିମ ଗଠନ କରି ତଦନ୍ତ କରୁଥିବା କଥା କହୁଛି। ୬୦ରୁ ୭୦ ଫୁଟେଜ ସଂଗ୍ରହ କରିଛି। କିଏ କେଉଁ ଭଳି ଭାବେ ତଦନ୍ତ କରିବେ ତାହା ବି ସ୍ଥିର କରିଛି। ସ୍ବାମୀଙ୍କୁ ହରାଇ ପୀତବାସଙ୍କ ସ୍ତ୍ରୀ ନୀରବ ହୋଇଯାଇଥିବାବେଳେ ହତ୍ୟା ଘଟଣାକୁ ନେଇ ସେ କିଛି କହିପାରୁନାହାନ୍ତି। କେବଳ ତାଙ୍କର କେହି ଶତ୍ରୁ ନ ଥିବା କହୁଛନ୍ତି। ସେହିପରି ପୁଅ ସ୍ବରୂପ ପଣ୍ଡା କହିଛନ୍ତି, ବାପା କେବେ ଚାପରେ ନ ଥିଲେ, ସେ ଜଣେ ଭଲ ମଣିଷ ଥିଲେ। ଭଲ ଆଇନଜୀବୀ ହିସାବରେ ସମସ୍ତଙ୍କୁ ନ୍ୟାୟ ଦେବା ପାଇଁ ଲଢ଼ୁଥିଲେ। କିନ୍ତୁ ତାଙ୍କ ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ନ୍ୟାୟ ନ ମିଳିବା ଆଶ୍ଚର୍ଯ୍ୟ କରିଛି। ତାଙ୍କୁ ଯିଏ ମାରିଛି, ଫାସି ଦିଆଯାଉ। ବାପା ଯେଉଁ ଖାଦ୍ୟ ଆଣିଥିଲେ ତାହା ଏବେ ସୁଦ୍ଧା ପଡିରହିଛି ବୋଲି ସ୍ବରୂପ କହିଛନ୍ତି। ଅନ୍ୟପକ୍ଷରେ ପୀତବାସଙ୍କ ହତ୍ୟା ପରେ ପରିବାର ଲୋକେ ଏବେ ଭୟରେ ରହିଛନ୍ତି। ବାସ୍ତବରେ ଅପରାଧିଙ୍କୁ ଧରାଯିବ ନା ତାଙ୍କୁ ଖସାଇ ଦିଆଯାଇ ଆଉ କାହାକୁ ଧରିଆଣି ଅପରାଧୀ ସଜାଯିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।
Dharitri – Odisha’s No.1 Odia Daily

