Categories: ଫୁରସତ

ଆଗକୁ ବଡ଼ ଚ୍ୟାଲେଞ୍ଜ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ହରାଇ ଜୋ ବାଇଡେନ୍‌ ଦେଶର ୪୬ତମ ରାଷ୍ଟ୍ରପତି ହେବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ପରବର୍ତ୍ତୀ ୪ ବର୍ଷରେ ବାଇଡେନ୍‌ଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି। ସେଥିମଧ୍ୟରୁ ସବୁଠୁ ବଡ଼ ଆହ୍ବାନ ହେଉଛି କଂଗ୍ରେସରେ ରିପବ୍ଲିକାନ୍‌ ନେତାମାନଙ୍କୁ ମନାଇବା। ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ବାଇଡେନ୍‌ଙ୍କ ଆଗରେ ବୈଦେଶିକ ନୀତି, କରୋନା ମହାମାରୀ ବ୍ୟତୀତ ଆମେରିକାର ଅର୍ଥ ବ୍ୟବସ୍ଥାକୁ ପୁଣି ଥରେ ଟ୍ରାକ୍‌କୁ ଫେରାଇ ଆଣିବା ଭଳି ପ୍ରସଙ୍ଗ ରହିବ। ଅର୍ଥନୀତିକୁ ନେଇ ବାଇଡେନ୍‌ଙ୍କ
ପାଇଁ କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ…

 

କିଛି ମାସ ଧରି ଆମେରିକାର ଅର୍ଥନୀତିଜ୍ଞ କରୋନା ସହାୟତା ପ୍ୟାକେଜ୍‌ ବଢ଼ାଇବା ପାଇଁ ସରକାରଙ୍କ ନିକଟରେ ଦାବି କରୁଛନ୍ତି। ରିପବ୍ଲିକାନ୍‌ ପାର୍ଟି ନେତାଙ୍କ ମୁତାବକ ଖର୍ଚ୍ଚକୁ ନେଇ ସହମତି ହୋଇପାରି ନ ଥିବାରୁ ଗତିରୋଧ ଜାରି ରହିଛି। କୌଣସି କାରଣରୁ ଏହି ପ୍ୟାକେଜ୍‌ ଡେମୋକ୍ରାଟିକ୍‌ ନେତାଙ୍କ ଆଶାନୁରୂପ ନ ହେଲେ ଓ ଅର୍ଥବ୍ୟବସ୍ଥାରେ ରିକଭରି ସଙ୍କେତ ମଧ୍ୟ ଦୁର୍ବଳ ହେଲେ ବାଇଡେନ୍‌ କ’ଣ କରିବେ? ସେ କେତେ ବଡ଼ ଆର୍ଥିକ ପ୍ୟାକେଜ୍‌ ଦାବି କରିବେ?

ବିଗତ ୫ ଦଶନ୍ଧି ମଧ୍ୟରେ ଆମେରିକାରେ ଆୟ ଅସମାନତା ସବୁଠୁ ଉଚ୍ଚସ୍ତରରେ ରହିଛି। ଉଦାରବାଦୀଙ୍କ କହିବା ହେଲା ସରକାରଙ୍କୁ ଧନୀଙ୍କ ଉପରେ ଲାଗୁଥିବା ଟ୍ୟାକ୍ସ ବଢ଼ାଇବା ଉପରେ ବିଚାର କରିବାକୁ ପଡ଼ିବ। ପ୍ରତିଶ୍ରୁତି ମୁତାବକ ବାଇଡେନ୍‌ ବଡ଼ କମ୍ପାନୀଗୁଡ଼ିକ ଉପରେ ଲାଗୁଥିବା ଟ୍ୟାକ୍ସକୁ ୨୧%ରୁ ୨୮%କୁ ବୃଦ୍ଧି କରିପାରନ୍ତି। ଏପରି କଲେ ଆଗାମୀ ଦଶନ୍ଧିରେ ସରକାରଙ୍କୁ ୩୦ ଟ୍ରିଲିୟନ ଡଲାର ମିଳିପାରେ। କରୋନା ମହାମାରୀ ଯୋଗୁ ଆଗକୁ ଆମେରିକାର ଜାତୀୟ ଋଣ ବଢ଼ିଲେ ଏହି ଅର୍ଥ ସରକାରଙ୍କ କାମରେ ଆସିପାରେ। କିନ୍ତୁ ଟିକସ ବୃଦ୍ଧି ଯୋଜନାକୁ ରିପବ୍ଲିକାନ୍‌ ବିରୋଧ କରିବେ।

ଜଳବାୟୁ ପରିବର୍ତ୍ତନ ସହ ଲଢ଼ିବା ପାଇଁ ବାଇଡେନ୍‌ଙ୍କ ଯୋଜନାକୁ ନେଇ ବିରୋଧ ହେବା ପରେ ସେ ଏକ ନୂଆ ପ୍ରସ୍ତାବ ଆଣିଥିଲେ, ଯେଉଁଥିରେ ସମାଲୋଚକଙ୍କ କଥାକୁ ମଧ୍ୟ ଗୁରୁତ୍ୱ ଦେଇଥିଲେ। ଶକ୍ତି କ୍ଷେତ୍ରରେ ଗବେଷଣା ପାଇଁ ୪ ଟ୍ରିଲିୟନ ଡଲାରର ନିବେଶ କଥା ଏଥିରେ କୁହାଯାଇଥିଲା। ଏହାକୁ ରିପବ୍ଲିକାନ୍‌ ନେତାମାନେ ଆମେରିକୀୟ ଅର୍ଥନୀତିକୁ ‘ସମାଧି ପର୍ଯ୍ୟନ୍ତ ପହଞ୍ଚାଇବା’ ପ୍ରସ୍ତୁତି ବୋଲି କହିଥିଲେ।

ବାଇଡେନ୍‌ ବାଣିଜ୍ୟ କ୍ଷେତ୍ରରେ ବିଗତ ୪ ବର୍ଷରେ ଟ୍ରମ୍ପ୍‌ ପ୍ରଶାସନ ନେଇଥିବା ପଦକ୍ଷେପକୁ ବଦଳାଇପାରନ୍ତି। ସେ ବିଶ୍ୱ ମଞ୍ଚରେ ଆମେରିକାର ଭୂମିକାକୁ ପୁଣି ମଜଭୁତ କରିବାରେ ଲାଗିପାରନ୍ତି। କିନ୍ତୁ ଏଥିରେ ସେ ଟ୍ରମ୍ପ୍‌ଙ୍କଠାରୁ କେତେ ଅଲଗା ହେବେ?

Share