ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ ହ୍ରାସ ପାଇଛି। ଭୁବନେଶ୍ୱରରେ ୩ ଦିନ ତଳେ ତାପମାତ୍ରା ୧୫.୧°C ଥିବା ବେଳେ ମଙ୍ଗଳବାର ଏହା ୧୧.୯°C କୁ ଖସି ଆସିଛି।
ଭୁବନେଶ୍ୱର ଓ କଟକରେ ଚଳିତ ସପ୍ତାହରେ ପାରଦ ୧୧°C ପାଖାପାଖି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମଙ୍ଗଳବାର କଟକର ସର୍ବନିମ୍ନ ତାପମାତ୍ରା ୧୨.୪°C ରେକର୍ଡ କରାଯାଇଛି।
କ୍ରମାଗତ ଦ୍ୱିତୀୟ ଦିନ ପାଇଁ କୋରାପୁଟ ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି, ଯେଉଁଠାରେ ସର୍ବନିମ୍ନ ତାପମାତ୍ରା ୬.୩°C ରହିଛି। ସେହିପରି ସେମିଳିଗୁଡ଼ାରେ ୬.୭°C ରେକର୍ଡ ହୋଇଛି।
୧୦°C ତଳେ ଥିବା ଅନ୍ୟ ସହର ଗୁଡିକ ହେଉଛି ଦାରିଙ୍ଗବାଡ଼ି (୭°C), ଜି. ଉଦୟଗିରି (୭.୪°C), ନବରଙ୍ଗପୁର (୮°C), ଫୁଲବାଣୀ (୮.୫°C), ଝାରସୁଗୁଡ଼ା ଓ ଚିପିଲିମାରେ (୯.୪°C) ତାପମାତ୍ରା ରହିଛି।
ମଙ୍ଗଳବାର ସକାଳେ ରାଉରକେଲା, ଫୁଲବାଣୀ, ଝାରସୁଗୁଡ଼ା ଏବଂ ସୋନପୁର ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ପାଣିପାଗ ବିଭାଗ ଅନୁଯାୟୀ, ଡିସେମ୍ବର ୨୫ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର ଏବଂ କନ୍ଧମାଳର କିଛି ସ୍ଥାନରେ ଘନ କୁହୁଡ଼ି ସମ୍ଭାବନା ରହିଛି।
ତେବେ ଡିସେମ୍ବର ୨୭ ପର୍ଯ୍ୟନ୍ତ କୋରାପୁଟ, ସୁନ୍ଦରଗଡ଼, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ କୁହୁଡ଼ି ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ସାତ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।


