Categories: ବାଣିଜ୍ୟ

ପ୍ରଥମ ଭାରତୀୟ ଭାବେ ପଦକ ଜିତିଲେ ଭନ୍‌ଓ୍ବାଲା

ପଣ୍ଟେଭେଡ୍ରା (ସ୍ପେନ), ୨୦।୧୦ (ପି.ଟି.): ଭାରତର ପ୍ରଥମ ଗ୍ରିକୋ ରୋମାନ ରେସଲର ଭାବେ ସାଜନ ଭନଓ୍ବାଲା ୨୩ ବର୍ଷରୁ କମ୍‌ ବିଶ୍ୱ ରେସଲିଂ ଚାମ୍ପିୟନଶିପ୍‌ରେ ପଦକ ହାସଲ କରିଛନ୍ତି। ବୁଧବାର ଅନୁଷ୍ଠିତ ପ୍ଲେ-ଅଫ୍‌ ଲଢ଼େଇରେ ଭନଓ୍ବାଲା ୟୁକ୍ରେନର ଡିମିଟ୍ରୋ ଭାସେଟସ୍କିଙ୍କୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଡିମିଟ୍ରୋ ଚମତ୍କାର ଆରମ୍ଭ କରି ୪ ପଏଣ୍ଟରେ ଅଗ୍ରଣୀ ହାସଲ କରିଥିଲେ ହେଁ ଭନଓ୍ବାଲା ଶକ୍ତିଶାଳୀ ମୁଭ୍‌ ଜରିଆରେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ।

ତେବେ ରକ୍ଷଣାତ୍ମକ ରଣନୀତି ଯୋଗୁ ସେ ପୁଣି ୨ ପଏଣ୍ଟ ହରାଇଥିଲେ। ଗ୍ରାଉଣ୍ଡ ପୋଜିଶନରେ ପ୍ରଭାବୀ ପ୍ରଦର୍ଶନ କରି ୟୁକ୍ରେନ ପ୍ରତିଦ୍ୱନ୍ଦ୍ୱୀ ଏକଦା ୧୦-୪ରେ ଆଗୁଆ ହୋଇ ଯାଇଥିଲେ। ମାତ୍ର ଏହାପରେ ଚତୁରତାର ସହ ଲଢ଼ି ଭନଓ୍ବାଲା ସ୍କୋରକୁ ୧୦-୧୦ରେ ବରାବର କରିବାରେ ସକ୍ଷମ ହୋଇଥିଲେ। ଶେଷ ପଏଣ୍ଟ ଭନଓ୍ବାଲା ହାସଲ କରିଥିଲେ, ତେଣୁ ତାଙ୍କୁ ବିଜେତା ଘୋଷଣା କରାଯାଇଥିଲା। ପ୍ରତିଯୋଗିତାରେ ଭନଓ୍ବାଲା ଲିଥୁଆନିଆର ଏଷ୍ଟିସ ଲିଆଗମିନାସଙ୍କ ବିପକ୍ଷରେ ୩-୦ରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିଲେ ହେଁ ପ୍ରି-କ୍ୱାର୍ଟର ଫାଇନାଲରେ ମାଲଡୋଭାର ଆଲେକଜାଣ୍ଡ୍ରିନ ଗୁଟୁଙ୍କଠାରୁ ହାରି ଯାଇଥିଲେ। ମାତ୍ର ଗୁଟୁ ଫାଇନାଲରେ ପ୍ରବେଶ କରିଥିବାରୁ ଭନଓ୍ବାଲା ରିପଚେଜ୍‌ ରାଉଣ୍ଡରେ ଲଢ଼ିବା ସୁଯୋଗ ପାଇଥିଲେ।

Share