ଭଞ୍ଜନଗର,୧୧।୧୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ତାଇକୋଣ୍ଡ ଏକାଡେମୀର ପ୍ରତିଯୋଗୀମାନେ ଗୋଟିଏ ପରେ ଗୋଟିଏ ପ୍ରତିଯୋଗିତାରେ ଭାଗ ନେଇ ସଫଳତାର ସହ ପଦକ ବିଜୟୀ ହେଉଛନ୍ତି। ଯାହାକି ଭଞ୍ଜନଗର ଟାଇକୋଣ୍ଡ ପ୍ରତିଯୋଗୀମାନଙ୍କ ପାଇଁ ଖୁସି ଖବର। ଏହିଭଳି ପରିସ୍ଥିତିରେ ଗତ ୮ ଓ ୯ ତାରିଖ ଦୁଇଦିନ ଧରି ବ୍ରହ୍ମପୁର ନିଷ୍ଟ ବିଶ୍ୱବିଦ୍ୟାଳୟ ଇଣ୍ଡୋର ଷ୍ଟାଡିୟମଠାରେ ଓପେନ ନ୍ୟାସନାଲ ଟାଇକୋଣ୍ଡ ଚାମ୍ପିୟାନଶିପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୬୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଏଥିରେ ଭଞ୍ଜନଗର ଟାଇକୋଣ୍ଡ ଏକାଡେମୀରୁ ମଧ୍ୟ କୋଚ ପ୍ରାଣ କୃଷ୍ଣ ଗୌଡ଼ଙ୍କ ନେତୃତ୍ୱରେ ୪୦ ଜଣ ଛାତ୍ରୀଛାତ୍ର ଭାଗ ନେଇଥିଲେ। ସେଥିରୁ ୨୪ ଜଣ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ୧୨ ଜଣ ରୌପ୍ୟ ଏବଂ ୪ ଜଣ ତାମ୍ର ପଦକ ବିଜୟୀ ହୋଇଛନ୍ତି। ଏଥିସହ ଭଞ୍ଜନଗର ଟାଇକୋଣ୍ଡ ଏକାଡେମୀ ରନର୍ସ ଅପ ଟ୍ରଫି ବିଜୟ ଲାଭ କରିଛି । ଏହି ଅବସରରେ ମଙ୍ଗଳବାର ସଂନ୍ଧ୍ୟାରେ ଛାତ୍ରୀଛାତ୍ରମାନଙ୍କ ସମ୍ମାନ ପାଇଁ ଭଞ୍ଜନଗର ସହରରେ ଏକ ରୋଡ ସୋ ହୋଇଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ସହରବାସୀ ସ୍ବାଗତ କରିଥିଲେ।


