ଭଞ୍ଜନଗର,୨୩।୧(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗରଭଞ୍ଜ ସାହିତ୍ୟ ପରିଷଦଠାରେ ଶୁକ୍ରବାର ରାତିରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ୮୧ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ଏସ୍ଡିପିଓ ଡ.ଦୀପକ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାନ କବି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ଏଥିସହ ଭଞ୍ଜ ସାହିତ୍ୟର ପ୍ରଚାର ପ୍ରସାର ଲୋଡ଼ା ବୋଲି ସେ କହିଥିଲେ।
ମୁଖ୍ୟବକ୍ତା ଭାବେ ଭଞ୍ଜ ପ୍ରବକ୍ତା ଷଢଙ୍ଗୀ ଯୋଗଦେଇ ଭଞ୍ଜ ସାହିତ୍ୟରେ ଜଗନ୍ନାଥଙ୍କ କଥାମୃତ ଓ ସମାଜ ଚେତନା, ଶବ୍ଦ ଚାତୁରୀ, ରସ ଏବଂ ସୌନ୍ଦର୍ଯ୍ୟ ବୋଧର ଅନେକ ଦୃଷ୍ଟାନ୍ତ ଦେଇଥିଲେ। ତାଙ୍କ ରଚିତ ସବୁ ଶବ୍ଦରେ ତଥା କାବ୍ୟରେ ଶାସ୍ତ୍ରୀୟ ଆଧାରର ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଡ଼.କମ୍ବୁପାଣି ସାମନ୍ତ ଯୋଗଦେଇ ଭଞ୍ଜ ସାହିତ୍ୟର ଅଧ୍ୟୟନକାରୀ ହେବାପାଇଁ ଉପସ୍ଥିତ ଶ୍ରୋତାଙ୍କୁ
ଆହ୍ବାନ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ସାହିତି୍ୟକ ସୋମନାଥ ନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ‘ଭଞ୍ଜ ଜ୍ୟୋତି’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିରେ ସୁରେଶ ଚନ୍ଦ୍ର ପଣ୍ଡା ସଭାପତିତ୍ବ କରିଥିବା ବେଳେ ସାମ୍ବାଦିକ ଲୋକନାଥ କର ସ୍ବାଗତ ଭାଷଣ ଓ ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଧ୍ୟାପକ ଅଶୋକ କୁମାର ସୱାଇଁ,ବିଶଜିତା ରାଉତରାୟ ଓ ଦୁର୍ଗା ମାଧବ ଦାଶ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା। ବିଶିଷ୍ଟ ମଞ୍ଚ ନାଟକ ଗୁରୁ ଉପେନ୍ଦ୍ର କୁମାର ଶତପଥୀ,ଟୁନା ଜେନା,ସୀମାଞ୍ଚଳ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

