ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଏସ୍‌ସିବିରେ ଆଉ ଜଣେ ଯାତ୍ରୀଙ୍କ ମୃତ୍ୟୁ

କଟକ,୧୬ା୬ (କାର୍ତ୍ତିକ ସାହୁ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ହୋଇ କଟକ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଆଉ ଜଣେ ଯାତ୍ରୀଙ୍କର ଶୁକ୍ରବାର ମୃତ୍ୟୁ ଘଟିଛି। ସେ ହେଲେ ବିହାର ବାସିନ୍ଦା ପ୍ରକାଶ ରାମ(୧୭)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା ବୋଲି ଏସ୍‌ସିବି ମେଡିକାଲର ଡ. ଅବିନାଶ ରାଉତ ସୂଚନା ଦେଇଛନ୍ତି। ପ୍ରଶାସନ ପକ୍ଷରୁ ତାଙ୍କ ମୃତଦେହକୁ ସ୍ବତନ୍ତ୍ର ଗାଡ଼ିରେ ବିହାରସ୍ଥିତ ତାଙ୍କ ଗ୍ରାମକୁ ପଠାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଏହି ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ହୋଇ ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ବିହାର ରାଜ୍ୟ ମୋତିହାରିର ବିଜୟ ପାଶଓ୍ବାନ(୩୫)ଙ୍କର ମଙ୍ଗଳବାର ମୃତ୍ୟୁ ଘଟିଥିଲା। ତେବେ ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୦ରେ ପହଞ୍ଚିଛି।