ମାଞ୍ଚେଷ୍ଟର,୪ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ପାଳି ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇଯାଇଥିବା ବେଳେ ଇଂଲଣ୍ଡ ଦ୍ୱିତୀୟ ମ୍ୟାଚ୍କୁ ଜିତି ସିରିଜ୍ରେ ୧-୦ରେ ଆଗରେ ରହିଛି। ସିରିଜ୍ର ତୃତୀୟ ମ୍ୟାଚ୍ ୭ ତାରିଖରେ ଟ୍ରେଣ୍ଟ ବ୍ରିଜରେ ଖେଳାଯିବ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଅଭିଷେକ ଶର୍ମା ଓ ପଦାର୍ପଣକାରୀ ବୈଭବ ଅର୍ଦ୍ଧଶତକୀୟ ଆରମ୍ଭ ପ୍ରଦାନ କରିଥିଲେ। ବୈଭବ (୧୪ ରନ, ୧୦ ବଲ, ୨ ଛକା) କ୍ୟାରିୟରର ପ୍ରଥମ ଇନିଂସରେ ବିଫଳ ହୋଇଥିବା ବେଳେ ଅଭିଷେକ ୨୪ ବଲରେ ୪୩ (୮ ଚୌକା ଓ ୧ ଛକା) ରନ କରି ଆଉଟ୍ ହୋଇଥିଲେ।
ଇଶାନ କିଶନ (୪୯ ରନ, ୬ ଚୌକା) ଓ ଅଧିନାୟକ ଶ୍ରେୟସ (୩୭ ରନ, ୩ ଚୌକା ଓ ୧ ଛକା) ତୃତୀୟ ଉଇକେଟରେ ଦ୍ରୁତ ୬୫ ରନ ଯୋଡ଼ିଥିଲେ। ହେଲେ ଏହିଠାରୁ ଦଳ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଏକଦା ୧୩ ଓଭରରେ ୧୩୦/୨ ସ୍କୋର କରିଥିବା ଭାରତ ୧୯ ଓଭର ସୁଦ୍ଧା ୬ ଉଇକେଟ ହରାଇ ୧୭୩ ରନ କରିଥିଲା। ଶେଷରେ ଭାରତ ୨୦ ଓଭରରେ ୭ ଉଇକେଟ ହରାଇ ୧୯୦ ରନ କରିଥିଲା।
ଇଂଲଣ୍ଡ ପକ୍ଷରୁ ସାମ କୁରାନ ୩ ଉଇକେଟ ନେଇଥିଲେ। ଜବାବରେ ପ୍ରଥମ ଓଭରରେ ଦୁଇ ଓପନରଙ୍କୁ ହରାଇଥିବା ଇଂଲଣ୍ଡ ୧୯ ଓଭରରେ ୬ ଉଇକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। ଦଳ ପାଇଁ ବେଥେଲ ୪୬ ବଲରେ ସର୍ବାଧିକ ୭୬ (୫ ଲେଖାଏ ଚୌକା ଓ ଛକା) ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ହାରୀ ବ୍ରୁକ ୧୫ ବଲରେ ୩୯(୪ ଚୌକା ଓ ୩ ଛକା) ଓ ଟମ ବାଣ୍ଟନ ୩୯ (୬ ଚୌକା) ରନ କରିଥିଲେ।