ଶିକ୍ଷକ ନିଖୋଜ ସମ୍ପର୍କରେ ଏତଲା ଦେଲେ ବିଇଓ

ରାଇଘର, ୯।୨( ଡି.ଏନ୍‌.ଏ.) ନବରଙ୍ଗପୁର ଜିଲା ରାଇଘର ବ୍ଲକର ଜଣେ ଶିକ୍ଷକ ନିଖୋଜ ନେଇ ରାଇଘର ଥାନାରେ ଅଭିଯୋଗ ପରେ ପୋଲିସ୍‌ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ମଙ୍ଗଳବାର ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଥାନାରେ ଏତଲା ଦିଆଯାଇଛି। ରାଇଘର ବ୍ଲକ ମହଣ୍ଡ ପଞ୍ଚାୟତ ଅଧୀନରେ ଥିବା ମହଣ୍ଡ ଟୋଲା ବିଦ୍ୟାଳୟର ଶିକ୍ଷକ ନୀଳାଞ୍ଚଳ ବେହେରା ଶନିବାରରୁ ନିଖୋଜ ଥିବା ନେଇ ଘର ମାଲିକ ଦିଲ୍ଲୀପ ପଦାର ରାଇଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରାଇଘର ଥାନାରେ ୨/୨୨ରେ ମାମଲା ରୁଜୁ କରି ଥାନାଧିକାରୀ ଟଙ୍କଗିରି ଭୋଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ନିଖୋଜ ଶିକ୍ଷକ ଦିଲ୍ଲୀପଙ୍କ ଘରେ ୬ବର୍ଷରୁ ଊଦ୍ଧର୍‌ବ ସମୟ ହେବ ଘର ଭଡ଼ା ନେଇ ରହୁଥିଲେ। ଗତ ଶନିବାର ନୀଳାଞ୍ଚଳ ନିଜ ଭଡ଼ା ଘରକୁ ନ ଆସିବାରୁ ମାଲିକ ଦିଲ୍ଲୀପ ତାଙ୍କୁ ଫୋନ୍‌ରେ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କୌଣସି ଯୋଗାଯୋଗ ନ ହେବାରୁ ବାଧ୍ୟହୋଇ ଘର ମାଲିକ ଶିକ୍ଷକ ନୀଳାଞ୍ଚଳଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ରାଇଘର ଥାନାରେ ନିଖୋଜ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର ବିଇଓ ଈଶ୍ବର ଚନ୍ଦ୍ର ମାଝି ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ସମ୍ପୃକ୍ତ ଶିକ୍ଷକଙ୍କ ଘର ସହ ବିଭିନ୍ନ ସ୍ଥାନରେ ଯୋଗାଯୋଗ ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳିପାରିନାହିଁ। ରବିବାର ଘର ମାଲିକ ଏତଲା ଦେଇଥିବା ବେଳେ ମଙ୍ଗଳବାର ଶିକ୍ଷା ବିଭାଗ ପକ୍ଷରୁ ଏତଲା ଦିଆଯାଇଛି।