ଏଇ ଭାରତରେ

ମହିଳା ସଶକ୍ତୀକରଣର ପ୍ରତୀକ ସାଜିଛନ୍ତି ବେଙ୍ଗାଲୁରୁର ଜାନ୍ସି ବି.ଭି.। ସେ ଏକାବେଳକେ ଜଣେ ମା’, ଅଟୋଚାଳକ ଓ ପ୍ରଶିକ୍ଷକ ଭୂମିକା ନିର୍ବାହ କରୁଛନ୍ତି। ଜାନ୍ସିଙ୍କୁ ବୟସ ଏବେ ୩୩। ସେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରିବା ସହ ଅନ୍ୟ ମହିଳାଙ୍କୁ ମାଗଣାରେ ଡ୍ରାଇଭିଂ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ସ୍ବାବଲମ୍ବୀ କରିପାରିଛନ୍ତି। ବେଙ୍ଗାଲୁରୁ ସହର ନିକଟରେ ବନେରଘାଟରେ ତାଙ୍କ ଜନ୍ମ। ୧୨ ବର୍ଷ ବୟସରେ ସେ ତାଙ୍କ ପିତାଙ୍କୁ ହରାଇ ପରେ ପରିବାର ଚଳାଇବା ଦାୟିତ୍ୱ ମା’ଙ୍କ ଉପରେ ରହିଥିଲା। ମା’ଙ୍କ ଦେହାନ୍ତ ପରେ ସେ ଖୁଡ଼ୀଙ୍କ ପାଖରେ ରହି ୧୦ମ ଶ୍ରେଣୀ ପାସ କରିଥିଲେ ଓ ଆର୍ଥିକ ଅଭାବ ତାଙ୍କୁ ଅଧିକ ପଢ଼ିବା ଲାଗି ସୁଯୋଗ ଦେଇ ନ ଥିଲା। ପରେ ୧୬ବର୍ଷ ବୟସରେ ଅନ୍ୟ ଘରେ କାମ କରି ମାସକୁ ୫,୦୦୦ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଥିଲେ। ୨୦୧୧ରେ ବିବାହ କରିଥିଲେ ଓ ତାଙ୍କ ସ୍ବାମୀଙ୍କ ସହଯୋଗରେ ସେ ଅଟୋ ଡ୍ରାଇଭିଂ ପ୍ରଶିକ୍ଷଣ ନେଇଥିଲେ। ପରେ କମର୍ସିଆଲ ଡ୍ରାଇଭିଂ ଲାଇସେନ୍ସ ପାଇଥିଲେ। ଏବେ ସେ ଅଟୋ ଚଳାଇବା ଓ ପ୍ରଶିକ୍ଷଣ ଦେବାରେ ଦିନକୁ ୧୦-୧୨ ଘଣ୍ଟା ସମୟ ଦେଉଛନ୍ତି।

Share