Categories: ଖେଳ

ନିମ୍ନମାନର ଥିଲା ବେଙ୍ଗାଲୁରୁ ପିଚ୍‌

ଦୁବାଇ,୨୦।୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଚିନ୍ନାସ୍ବାମୀ ଷ୍ଟାଡିୟମର ଯେଉଁ ପିଚ୍‌ରେ ଖେଳାଯାଇଥିଲା, ତାହା ନିମ୍ନମାନର ଥିଲା। ମ୍ୟାଚ୍‌ରେ ବ୍ୟବହୃତ ପିଚ୍‌କୁ ରବିବାର ଆଭରେଜଠାରୁ ଖରାପ ଦର୍ଶାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଏଥି ଯୋଗୁ ବେଙ୍ଗାଲୁରୁ ଗ୍ରାଉଣ୍ଡକୁ ଆଇସିସି ପିଚ୍‌ ଏବଂ ଆଉଟ୍‌ଫିଲ୍ଡ ମନିଟରିଂ ପ୍ରକ୍ରିୟାର ନିୟମ ଅନୁଯାୟୀ ଏକ ଡିମେରିଟ୍‌ ପଏଣ୍ଟ ମିଳିଛି।

ଗତ ୧୨ ତାରିଖରେ ଆରମ୍ଭ ହୋଇଥିବା ମ୍ୟାଚ୍‌ରେ ଭାରତ ୨୩୮ ରନ୍‌ରେ ଶ୍ରୀଲଙ୍କାକୁ ହରାଇଥିଲା। ମ୍ୟାଚ୍‌ଟି ୩ ଦିନରୁ କମ୍‌ ସେସନ ମଧ୍ୟରେ ଶେଷ ହୋଇଯାଇଥିଲା।

“ପିଚ୍‌ରେ ପ୍ରଥମ ଦିନରୁ ପ୍ରବଳ ଟର୍ନ ଦେଖିବାକୁ ମିଳିଥିଲା। ଆଉ ପ୍ରତ୍ୟେକ ସେସନରେ ଏହା ବ୍ୟାଟରଙ୍କ ପାଇଁ ଉପଯୋଗୀ ହେଉଥିଲା। ମୋ ମତରେ ମ୍ୟାଚ୍‌ରେ ବ୍ୟାଟ ଏବଂ ବଲ ମଧ୍ୟରେ କୌଣସି ମୁକାବିଲା ନ ଥିଲା” ବୋଲି ମ୍ୟାଚ୍‌ ରେଫରି ଜାଭାଗଲ ଶ୍ରୀନାଥ କହିଛନ୍ତି।

ମ୍ୟାଚ୍‌ର ପ୍ରଥମ ଦିନ ବଲ ଖୁବ୍‌ ସ୍ପିନ କରିବାରୁ ଭାରତ ଏକଦା ୧୪୮ ରନ୍‌ରେ ୬ ଉଇକେଟ ହରାଇ ଦେଇଥିଲା। କିନ୍ତୁ ଶ୍ରେୟାସ ଆୟାର (୯୨)ଙ୍କ ଯୋଗୁ ଭାରତ ପହଞ୍ଚିପାରିଥିଲା ୨୫୨ରେ। ଏହି ଇନିଂସରେ ୧୦ ମଧ୍ୟରୁ ୮ ଉଇକେଟ ସ୍ପିନର ନେଇଥିଲେ। ଜବାବରେ ୧୦୯ରେ ଅଲଆଉଟ୍‌ ହୋଇଯାଇଥିଲା ଶ୍ରୀଲଙ୍କା। ଦ୍ୱିତୀୟ ଇନିଂସରେ ଭାରତ ଭଲ ବ୍ୟାଟିଂ କରିଥିଲା। ହେଲେ ଶ୍ରୀଲଙ୍କାର ଭାଗ୍ୟ ବଦଳି ନ ଥିଲା। ଦଳର ୭ ବ୍ୟାଟର ଦୁଇ ଅଙ୍କ ସ୍କୋର ଛୁଇଁ ପାରି ନ ଥିଲେ।

Share