ଜିଲାପାଳଙ୍କୁ ଫେରାଦ ହେଲେ ହିତାଧିକାରୀ

କେନ୍ଦୁଝର, ୨୫।୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ଅଧୀନ ତେନ୍ତଳାପଶି ପଞ୍ଚାୟତ (ଓ୍ବାର୍ଡ ନଂ. ୨,୩) ବଡ଼କମଣ୍ଡରା ଗ୍ରାମକୁ ପୁରୁଣା ତାଲିକାରେ ୯୧ଟି ଘର ମଞ୍ଜୁର ହୋଇଥିବା ବେଳେ ପଞ୍ଚାୟତରେ ଲାଗିଥିବା ନୂତନ ତାଲିକାରେ ୩୩ଟି ଘର ଅଛି। ଅବଶିଷ୍ଟ ୫୮ ଗୃହ କାଟି ଦିଆଯାଇଛି। ତାଲିକା ପ୍ରକାଶ ପାଇବା ଦିନରୁ ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ମଙ୍ଗଳବାର ବ୍ଲକ ସଭାଗୃହରେ ଅନୁଷ୍ଠିତ ମିଳିତ ଅଭିଯୋଗ ଶୁଣାଣିରେ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ଏହି ଗ୍ରାମବାସୀ। ଜିଲାପାଳଙ୍କ ଦ୍ୱାରା ପ୍ରତ୍ୟେକ୍ଷ ଭାବେ କିମ୍ବା ତାଙ୍କ ଦ୍ୱାରା ଅଧିକୃତ ଅଫିସରଙ୍କ ଦ୍ୱାରା ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଥିବା ୫୮ ଜଣଙ୍କର ଯାଞ୍ଚ ପାଇଁ ସେମାନେ ଅନୁରୋଧ କରିଥିଲେ। ଆବାସ ପାଇବା ଲାଗି ଯୋଗ୍ୟ ହୋଇଥିଲେ ମଧ୍ୟ ପକ୍ଷପାତିତାର ଶିକାର ହୋଇଥିବା ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ। ଜିଲାପାଳ ଆଶିଷ ଠାକରେ ହରିଚନ୍ଦନପୁର ବିଡିଓଙ୍କୁ ପୁନଃ ଯାଞ୍ଚ ପାଇଁ କହିବାରୁ ସେମାନେ ବିରୋଧ କରିବା ସହ ବଦଳି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ରିଲିଭ ହୋଇ ନ ଥିବା ଏବଂ ଯାହାଙ୍କ ନାମରେ ଅଭିଯୋଗ ସେ କିପରି ଯାଞ୍ଚ କରିବେ ବୋଲି ଗ୍ରାମବାସୀ ପଚାରିଥିଲେ। ପରେ ଜିଲାପାଳ ବୁଝାଶୁଝା କରିବାରୁ ବିଡିଓଙ୍କ ଦ୍ୱାରା ଯାଞ୍ଚ ପାଇଁ ଗ୍ରାମବାସୀ ରାଜି ହୋଇଥିଲେ। ଏହି ସମୟରେ ବ୍ଲକ ଅଫିସ୍‌ ପରିସରରେ ବଦଳି ନିର୍ଦ୍ଦେଶ ପାଇଥିବା ବିଡିଓଙ୍କୁ ଆବାସରୁ ବଞ୍ଚିତ ହିତାଧିକାରୀମାନେ ଘେରିଯାଇ ହୋହଲ୍ଲା କରିଥିଲେ।
ପ୍ରକାଶ ଥାଉକି, ବଡ଼କମଣ୍ଡରା ଗ୍ରାମବାସୀ ଗତ ୧୮ ତାରିଖରେ ଏବିଡିଓଙ୍କୁ ଦାବିପତ୍ର ଦେବା ସହ ବ୍ଲକ ଘେରାଉ କରିଥିଲେ ଏବଂ ଜିଲାପାଳଙ୍କୁ ଦାବିପତ୍ର ଦେବା ପରେ ସାରେ ହରିଚନ୍ଦନପୁର ବିଡିଓଙ୍କୁ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଘେରିଥିଲେ। ବାଧ୍ୟହୋଇ ବିଡିଓ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଚାଲି ଚାଲି ଘରକୁ ଯାଇଥିଲେ। ୧୯ ତାରିଖରେ ଦୁଇଘଣ୍ଟା ପାଇଁ ପଞ୍ଚାୟତ ଅଫିସରେ ସରପଞ୍ଚଙ୍କୁ ତାଲା ପକାଇଥିଲେ। ୨୧ରେ ହରିଚନ୍ଦନପୁରରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଦାବିପତ୍ର ଦେଇଥିଲେ। ଠିକ୍‌ ଭାବେ ତଦନ୍ତ ପୂର୍ବକ ଯୋଗ୍ୟଙ୍କୁ ଆବାସ ତାଲିକାରେ ସାମିଲ କରା ନ ଗଲେ ଆଗାମୀ ଦିନରେ ପଞ୍ଚାୟତ, ବ୍ଲକ ଅଫିସ ଘେରାଉ ସହ ପେଟରୁ କାଟି ଯାହା ସଞ୍ଚୟ ହେବ, ସେଥିରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ହିତାଧିକାରୀମାନେ ପ୍ରକାଶ କରିଛନ୍ତି।