ବକେୟା ଚାଉଳ ଦାବିକଲେ ହିତାଧିକାରୀ

ଚମ୍ପୁଆ,୨୭ା୪(ଡି.ଏନ୍‌.ଏ); କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ୍‌ର ମୁକୁନ୍ଦପୁରଠାରେ ଅନ୍ତ୍ୟୋଦୟ କାର୍ଡରେ ଚାଉଳ ହେରଫେର ଘଟଣାର ତଦନ୍ତ ବେଳେ ଅସନ୍ତୋଷ ଦେଖାଯାଇଛି। ଅଭିଯୋଗ ଅନୁଯାୟୀ ଯୋଗାଣ ବିଭାଗର ଅଧିକାରୀ ବୁଧବାର ତଦନ୍ତ କରିବାକୁ ଆସିଥିଲେ। ଏହି ସମୟରେ ହିତାଧିକାରୀ ବକେୟା ଚାଉଳ ପ୍ରଦାନ କରିବାକୁ ଦାବି କରିଥିଲେ। ଅଧିକାରୀ ବର୍ତ୍ତମାନର ଚାଉଳ ନେବା ପାଇଁ କହିଥିଲେ ମଧ୍ୟ ହିତାଧିକାରୀ ଅମଙ୍ଗ ହୋଇ ଚାଉଳ ନ ନେଇ ଫେରିଯାଇଥିଲେ।
ମୁତାବକ, ଅନ୍ତ୍ୟୋଦୟ କାର୍ଡରେ ଚାଉଳ କାଟଛାଣ୍ଟ କରାଯାଉଥିବା ଗ୍ରାମବାସୀ ଚମ୍ପୁଆ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ପରେ ବ୍ଲକ୍‌ ଭିଜିଲାନ୍ସ କମିଟି ପକ୍ଷରୁ ତଦନ୍ତ କରାଯିବା ସହ ବିଡିଓଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ମାତ୍ର ଏହାର ଫଳାଫଳ ବିଳମ୍ବ ହେବାରୁ ସରପଞ୍ଚ ପୁଣି ଥରେ ବିଡିଓଙ୍କୁ ସାକ୍ଷାତକରି ଏ ବିଷୟରେ ଅବଗତ କରିବା ପରେ ଯୋଗାଣ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ଯୋଗାଣ ବିଭାଗ ଏସ୍‌ସିଏସ୍‌ଓ ଅଧିକାରୀ ମଙ୍ଗଲ ସିଂହ ଓ ଯୋଗାଣ ନିରୀକ୍ଷକ ବିଷ୍ଣୁପ୍ରସାଦ ମହାରଣା ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ତଦନ୍ତ ସମୟରେ ହିତାଧିକାରୀମାନେ କାଟଛାଣ୍ଟ ହୋଇଥିବା ବକେୟା ଚାଉଳ ପ୍ରଥମେ ପ୍ରଦାନ କରିିବାକୁ ଦାବି କରିବା ସହିତ ଚଳିତ ମାସ ଚାଉଳ ନ ନେଇ ଫେରିଯାଇଥିଲେ। ଏ ନେଇ ଯୋଗାଣ ଅଧିକାରୀ କହିଛନ୍ତି, ଅଭିଯୋଗ ପାଇବା ପରେ ଆମ୍ଭେ ତଦନ୍ତ କରିବାକୁ ଯାଇଥିଲୁ। ବର୍ତ୍ତମାନ ସେମାନେ କରିଥିବା ଅଭିଯୋଗର ତଦନ୍ତ ଚାଲିଥିବାରୁ ଚଳିତ ମାସ କୋଟା ଚାଉଳ ନେବା ପାଇଁ କହିଥିଲୁ। ମାତ୍ର ସେମାନେ ବକେୟା ଚାଉଳ ଆଗେ ପ୍ରଦାନ କରିବା ପାଇଁ ଦାବିକରି ଚାଉଳ ନେଇ ନ ଥିଲେ। ଅଭିଯୋଗର ତଦନ୍ତ ଚାଲିଛି। ସମସ୍ତ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଅନ୍ୟପକ୍ଷରେ ଅନ୍ତ୍ୟୋଦୟ କାର୍ଡ ଚାଉଳ ଦୁର୍ନୀତି ତଦନ୍ତ ହେଉଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କୁ ଅଣଦେଖା କରାଯାଉଥିବାରୁ ସରପଞ୍ଚ ମଞ୍ଜୁଲତା ନାଏକ ଅସନ୍ତୋଷ ପ୍ରକାଶ କରିଛନ୍ତି।