ଜମିର ବେଞ୍ଚ ମାର୍କ ମୂଲ୍ୟାୟନ ତ୍ରୁଟିପୂର୍ଣ୍ଣ

ବ୍ରହ୍ମପୁର ଅଫିସ,୨୪ା୯: ତ୍ରୁୃଟିପୂର୍ଣ୍ଣ ବେଞ୍ଚ ମାର୍କ ମୂଲ୍ୟାୟନ ଯୋଗୁ ବ୍ରହ୍ମପୁର ସମେତ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଜମି ବିକାକିଣାରେ ସମସ୍ୟା ସୃଷ୍ଟି ହୋଇଛି। ସରକାରୀ ଅଧିକାରୀମାନେ ଠିକ୍‌ ଭାବେ ଅନୁଧ୍ୟାନ କରି ତ୍ରୁଟି ସଂଶୋଧନ ପାଇଁ ଗତ ଦୁଇ ବର୍ଷ ହେବ ହୋଇଥିବା ଦାବି ପ୍ରତି ଆଖି ବୁଜି ଦିଆଯାଇଛି। ଫଳରେ ଲୋକେ ନିଜ ଜମି ଆବଶ୍ୟକ ସ୍ଥଳେ ବିକ୍ରି କରିନପାରି ଚଢ଼ା ସୁଧରେ ଜମି ବନ୍ଧକ ଦେଇ ଋଣ ଆଣିବାକୁ ବାଧ୍ୟ ହେଉଛନ୍ତି। କେବଳ ସେତିକି ନୁହେଁ ରେଜିଷ୍ଟ୍ରେଶନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ସରକାରଙ୍କ ରାଜସ୍ବ କ୍ଷତି ବଢ଼ି ଚାଲିଛି ବୋଲି ଭାଜପା ଅଭିଯୋଗ କରିଛି। ଏହାର ତ୍ୱରିତ ପଦକ୍ଷେପ ନିଆନଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଭାଜପା ନେତା କାହ୍ନୁ ଚରଣ ପତି ଶୁକ୍ରବାର କହିଛନ୍ତି ବେଞ୍ଚ ମାର୍କ ମୂଲ୍ୟାୟନର ସଂଶୋଧନ ଦାବି କରି ବିଲଡରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। କିଣାବିକା ରେଜିଷ୍ଟ୍ରେଶନ ହୋଇନପାରିବାରୁ ପ୍ରତିବାଦରେ ଦଲିଲ ଲେଖାଳିମାନେ ସବ୍‌ରେଜିଷ୍ଟ୍ରାର ଅଫିସ ଆଗରେ ଧାରଣା ଦେଇଥିଲେ। ଅପରପକ୍ଷରେ ବ୍ରହ୍ମପୁରରେ ଦୀର୍ଘଦିନରୁ ଖାଲି ପଡ଼ିଥିବା ସବରେଜିଷ୍ଟ୍ରାର ପଦ ପୂରଣ ପାଇଁ ଲେଖାଳିମାନେ ଦାବି କରିଥିଲେ। ଉପରୋକ୍ତ ଦାବିଗୁଡ଼ିକ ଅଦ୍ୟାବଧି ପୂରଣ ହୋଇନଥିବା ପତି ଅଭିଯୋଗ କରିଛନ୍ତି।
ସେହିପରି ବ୍ରହ୍ମପୁର ମହାନଗର ନିକଟ କୁକୁଡ଼ାଖଣ୍ଡି ଓ କନିଷି ସମେତ ସବଡିଭିଜନର ଚିକିଟି, ପାତ୍ରପୁର ଓ ଅନ୍ୟ ସ୍ଥାନରେ ମଧ୍ୟ ବେଞ୍ଚ ମାର୍କ ମୂଲ୍ୟାୟନ ତ୍ରୁଟିପୂର୍ଣ୍ଣ ହୋଇଥିବା ଏବଂ ସଂଶୋଧନ କରାଯାଉନଥିବାରୁ ଜମି କାରବାରରେ ସମାନ ଅବସ୍ଥା ଦେଖାଦେଇଛି। ସରକାରଙ୍କ ରାଜସ୍ବ ପ୍ରଶାସନ ଏହାର ସମାଧାନ କରିବାକୁ ଭାଜପାର ବରିଷ୍ଠ ନେତା ପୁନର୍ବାର ଦାବି କରିଛନ୍ତି।