ୟୁଏଇ ଗସ୍ତ ପୂର୍ବରୁ ଧାଓ୍ବନଙ୍କ ସହ ଦିଲ୍ଲୀର ସବୁ ଖେଳାଳିଙ୍କ କରୋନା ଟେଷ୍ଟ

ନୂଆଦିଲ୍ଲୀ, ୨୩।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ବିଶ୍ୱର ଏହି ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଦେଶରେ ଆୟୋଜିତ ହେବ। ପ୍ରତିଯୋଗିତାରେ ମୋଟ୍‌ ଅଂଶଗ୍ରହଣକାରୀ ମୋଟ୍‌ ୮ ଦଳ ମଧ୍ୟରୁ କେବଳ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଛାଡ଼ିଦେଲେ ବାକି ୮ ଦଳ ୟୁଏଇରେ ପହଞ୍ଚି ସାରିଛନ୍ତି। ତେବେ ୟୁଏଇ ଗସ୍ତ କରିବା ପୂର୍ବରୁ ଦିଲ୍ଲୀର ସମସ୍ତ ଖେଳାଳିଙ୍କ କରୋନା ଟେଷ୍ଟ ଅନୁଷ୍ଠିତ ହୋଇଯାଇଛି। ଏସ୍‌ଓପି ଗାଇଡ୍‌ଲାଇନ୍‌ ଅନୁଯାୟୀ ୟୁଏଇ ଗସ୍ତ କରିବା ପୂର୍ବରୁ ଆଇପିଏଲ୍‌ର ସମସ୍ତ ଖେଳାଳିଙ୍କ କରୋନା ଟେଷ୍ଟ ହେବ। ଏହାକୁ ନଜରରେ ରଖି ଦିଲ୍ଲୀ କ୍ୟାପିଟାଲ୍ସର ସମସ୍ତ ଖେଳାଳିଙ୍କ କରୋନା ଟେଷ୍ଟ ହୋଇଛି। ଏହି ଅବସରରେ ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ଖେଳାଳିଙ୍କ କରୋନା ଟେଷ୍ଟ ହେଉଥିବାର ଅନେକ ଫଟୋ ଏହାର ଅଫିସିଆଲ ଟୁଇଟର୍‌ ପୃଷ୍ଠାରେ ଶେୟାର କରାଯାଇଛି। ଯେଉଁଥିରେ ବରିଷ୍ଠ ଭାରତୀୟ ଖେଳାଳି ଶିଖର ଧାଓ୍ବନଙ୍କ ସମେତ ଅନ୍ୟମାନେ କରୋନା ଟେଷ୍ଟ କରୁଥିବାର ଦେଖିବାକୁ ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ, ୟୁଏଇରେ ପହଞ୍ଚିବା ପରେ ଦିଲ୍ଲୀ ଖେଳାଳି ୬ ଦିନ କ୍ୱାରାଣ୍ଟାଇନରେ ରହିବେ।

Share