ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରର ହେବ ସୌନ୍ଦର୍ଯ୍ୟକରଣ

କେନ୍ଦୁଝର,୬ା୧୨(ସ୍ବ.ପ୍ର.): ବହୁ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା କେନ୍ଦୁଝର ଜିଲାର ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରର ଉନ୍ନତିକରଣ ହେବ। ଏନେଇ ଜଳସମ୍ପଦ ବିଭାଗ ତତ୍ପରତା ଦେଖାଇଛି। ପେରିଫେରାଲ ଡେଭେଲପମେଣ୍ଟ ଅଫ ରିଜରଭ ଆଣ୍ଡ ଓ୍ବାଟର ବଡି ସ୍କିମ୍‌ରେ ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରରେ ଥିବା ସାନମାଛକାନ୍ଦଣା ଡ୍ୟାମର ପାରିପାର୍ଶିକ ସୌନ୍ଦର୍ଯ୍ୟକରଣ କରାଯିବ। ଏ ନେଇ ଇଞ୍ଜିନିୟରିଂ ଅଫ୍‌ ଚିଫ, ଜଳସମ୍ବଦ ପକ୍ଷରୁ ବୈତରଣୀ ବେସି, କେନ୍ଦୁଝରଙ୍କୁ ପ୍ରକଳ୍ପର ସବିଶେଷ ରିପୋର୍ଟ ପ୍ରସ୍ତୁତ କରି ପଠାଇବାକୁ ଚିଠି କରାଯାଇଛି।
ସାନମାଛକାନ୍ଦଣା ଡ୍ୟାମରେ ଏକ ମ୍ୟୁଜିୟମ ଓ ପାର୍କ ନିର୍ମାଣ ହେବ। ଏ ବାବଦକୁ ଦୁଇ କୋଟି ଟଙ୍କା ଜଳସମ୍ପଦ ବିଭାଗ ଖର୍ଚ୍ଚ କରିବ। ଫଳରେ ଏଠାରେ ଥିବା ବଡ଼ଘାଗରା ପର୍ଯ୍ୟଟନ କେନ୍ଦ୍ରକୁ ଆସୁଥିବା ପର୍ଯ୍ୟଟକମାନେ ଅଧିକ ସୁବିଧା ପାଇ ପାରିବେ। ଅନ୍ୟପକ୍ଷେ କେନ୍ଦ୍ରକୁ ଥିବା ରାସ୍ତା ଶୋଚନୀୟ ହୋଇ ପଡ଼ିଥିବା ବେଳେ ପର୍ଯ୍ୟଟକ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ସରିଥିଲେ ହେଁ କାମରେ ବିଳମ୍ବ ଘଟୁଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ସେହିପରି ଉକ୍ତ ସ୍ଥାନରେ ବିଦ୍ୟୁତ୍‌ ବ୍ୟବସ୍ଥା, ପର୍ଯ୍ୟଟକଙ୍କ ସୁରକ୍ଷା ତଥା ଆଶ୍ରୟ ବ୍ୟବସ୍ଥା ନ ଥିବାରୁ ବହୁ ଅସୁବିଧା ଭୋଗୁଛନ୍ତି। ପର୍ଯ୍ୟଟକଙ୍କ ସୁବିଧା ପାଇଁ ପର୍ଯ୍ୟଟନ ବିଭାଗ ମଧ୍ୟ ବିଭିନ୍ନ କାର୍ଯ୍ୟପନ୍ଥା ହାତକୁ ନେଇଥିବା ଜଣାପଡ଼ିଛି ା
ସୂଚନା ଯୋଗ୍ୟ, ପୂର୍ବରୁ କାନଝରୀ ଓ ରେମାଳ ଡ୍ୟାମ ବିକାଶ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ ନେଇ ଜଳସମ୍ପଦ, ପର୍ଯ୍ୟଟନ ବିଭାଗକୁ ନେଇ ପୂର୍ବରୁ ପ୍ରସ୍ତୁତି ସରିଛି। ସାନମାଛକାନ୍ଦଣା ଡ୍ୟାମର ବିକାଶ ପାଇଁ ବୈଠକ ଶୀଘ୍ର ହୋଇ ରିପୋର୍ଟ ପ୍ରସ୍ତୁତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।