Categories: ଫୁରସତ

ପ୍ରହ୍ଲାଦ ପରି ହେବାକୁ ହେବ

ଶ୍ରୀରାମଚରିତ ମାନସର ଉତ୍ତରାକାଣ୍ଡରେ ବକ୍ତା କାକଭୁଶୁଣ୍ଡି ଶ୍ରୋତା ଗରୁଡ଼ଙ୍କୁ ନିଜ ଜୀବନୀ କଥା ଶୁଣାଉଥିବା ବେଳେ କଳିଯୁଗର ଭୟାବହତା ବିଷୟରେ ସେ ବର୍ଣ୍ଣନା କରିବାକୁ ଭୁଲି ନ ଥିଲେ l କଳିଯୁଗରେ ଲୋକମାନେ କିଭଳି ବିଧର୍ମୀ ହେବେ, ଅତ୍ୟାଚାରୀ ହେବେ ଏବଂ ନାନା ପ୍ରକାର କୁକାର୍ଯ୍ୟରେ ଲିପ୍ତ ରହିବେ, ବଡ଼ ସାନ ମାନିବେ ନାହିଁ ଆଦି ବିଷୟ କାକଭୁଶୁଣ୍ଡି ମୁଖରୁ ଶୁଣି ସାରିବା ପରେ ଶ୍ରୋତା ଗରୁଡ଼ ଟିକେ ଭୟଭୀତ ହୋଇ ପଚାରିଲେ – ତେବେ ଏ ଖରାପ ଯୁଗଟିକୁ ପ୍ରଭୁ ସୃଷ୍ଟି କରୁଥିଲେ କାହିଁକି?

କାକଭୁଶୁଣ୍ଡି ପୁନଶ୍ଚ କହିଲେ – କଳିଯୁଗଟି ସିନା ଖରାପ, କିନ୍ତୁ ଏହାର ଯେଉଁ ବିଶେଷତ୍ୱ ଅଛି ତାହା ଅନ୍ୟ କେଉଁ ଯୁଗ ନିକଟରେ ନାହିଁ l ଶ୍ରୀମଦ୍ଭାଗବତରେ କଳିଯୁଗର ମାହାତ୍ମ୍ୟ ବର୍ଣ୍ଣନା କରିବାକୁ ଯାଇ ଜଗନ୍ନାଥ ଦାସ କହିଲେ –
ସତ୍ୟ ଯୁଗରେ ତପ ଫଳ l ତ୍ରେତାରେ ଯଜ୍ଞାଦି ସକଳ ll
ଦ୍ୱାପରେ ପରିଚର୍ଯ୍ୟା ମାନ l କଳିରେ ନାମ ସଂକୀର୍ତ୍ତନ ll

ସତ୍ୟ ଯୁଗରେ ମୁକ୍ତିର ମାର୍ଗ ହେଉଛି ତପସ୍ୟା । ଯଜ୍ଞ କଲେ ତ୍ରେତାଯୁଗରେ ମୁକ୍ତି ମିଳୁଥିଲା l ଦ୍ବାପରରେ ପରିଚର୍ଯ୍ୟା କଲେ ମୁକ୍ତି ହାତପାହାନ୍ତାରେ ମିଳୁଥିଲା l କଳିରେ କେବଳ ନାମ କଲେ ହିଁ ମଣିଷ ମୁକ୍ତି ପାଇଯିବ l ଏ ସିଦ୍ଧାନ୍ତ ଉପରେ ତୁଳସୀ ଦାସ ମଧ୍ୟ ମୋହର ମାରି କହିଛନ୍ତି ଯେ କଳିଯୁଗେ କେବଳ ନାମ ପିଆରା l ତୁଳସୀଙ୍କ ଏ ନିଦାନ ପତ୍ରଟି ନିଜସ୍ବ ଅନୁଭୂତିସିଦ୍ଧ l କାରଣ ସେ କଳିଯୁଗର ମଣିଷ ଏବଂ କଳିଯୁଗର କଳୁଷିତ କାଳିମାର ଛିଟା ମଧ୍ୟ ତାଙ୍କ ଠେଇଁ ଲାଗିଛି l

ହିରଣ୍ୟକଶିପୁ ଜଣେ ନାମ ନିନ୍ଦୁକ ଦୈତ୍ୟ ଥିଲା l ଈଶ୍ୱରଙ୍କ ଅସ୍ତିତ୍ୱକୁ ବିଶ୍ୱାସ କରୁ ନ ଥିଲା l ପ୍ରତି ବଦଳରେ ନିଜକୁ ଈଶ୍ୱର ମାନିବା ପାଇଁ ସମସ୍ତଙ୍କୁ ବାଧ୍ୟ କରୁଥିଲା l ତା’ର ଏ ଯୁକ୍ତିର ପ୍ରଚଣ୍ଡ କାରଣ ମଧ୍ୟ ଥିଲା l ତା’ ଦରବାରକୁ ଦେବତା, ମୁନି ଋଷି, ଗନ୍ଧର୍ବ, କିନ୍ନର ଯେ କେହି ବି ଯାଉଥିଲେ ସମସ୍ତେ ହିରଣ୍ୟକଶିପୁର ସ୍ତୁତି ଗାନ କରୁଥିଲେ l ନିଜ ଅସୁର ଜାତି ଭାଇ କିମ୍ବା ଅସୁର ପ୍ରଜା ଏ କାମ କଲେ କିଛି ବାହାଦୁରି ନାହିଁ କିନ୍ତୁ ଯେତେବେଳେ ମୁନି ଋଷି ଏବଂ ଦେବତାମାନେ ତା’ ଭରପୂର ରାଜସଭାରେ ଗୋଟିଏ ଅସୁରର ସ୍ତବ କରିବେ ତେବେ ତାହାର ଗରିମା ବଢ଼ିଯିବା ଥୟ l ସେଥିପାଇଁ ସେ ନିଜକୁ ଈଶ୍ୱର ବୋଲି କହୁଥିଲା l କେବଳ ସେତିକି ନୁହେଁ, ଦିନେ ମହର୍ଷି ନାରଦ ମଧ୍ୟ ତା’ ରାଜସଭାରେ ପହଞ୍ଚତ୍ ତା’ର ମହିମା ଗାନ କରିଥିଲେ l ଏ କଥାଟି ବାସ୍ତବିକ ଶୁଣିବା ବେଳକୁ ଟିକେ ଅଡୁଆ ଅଡୁଆ ଲାଗୁଛି l ଅନ୍ୟ କେହି ଦେବୀଦେବତା ଭୟରେ ଯଦି ହିରଣ୍ୟକଶିପୁର ଗୀତ ଗାଇଲେ ତାହା କିଛି ବଡ଼ କଥା ନୁହେଁ କିନ୍ତୁ ମହର୍ଷି ନାରଦ ଯଦି ସେମିତି କାମ କରନ୍ତି, ତେବେ ତାହା ନିଶ୍ଚିତ ଭାବେ ଲଜ୍ଜାକର ବିଷୟ l

କିନ୍ତୁ ନା, ହିରଣ୍ୟକଶିପୁର ସ୍ତୁତି କରି ନାରଦ କିଛି ଭୁଲ୍‌ କରି ନାହାନ୍ତି l ଅନ୍ୟମାନେ ସିନା ଭୟରେ ସ୍ତୁତି କରୁଥିଲେ କିନ୍ତୁ ନାରଦ ଯେଉଁ ସ୍ତୁତି କରୁଥିଲେ ତାହା ଭୟ ଯୋଗୁ ନୁହେଁ l ତାହା ଥିଲା ଭକ୍ତି ସମ୍ଭୂତ l ତ୍ରିକାଳଦର୍ଶୀ ନାରଦ ଭଲ ଭାବରେ ଜାଣିଥିଲେ ଯେ ଏ ଯେଉଁ ଅସୁର ହିରଣ୍ୟକଶିପୁ ନା, ତା’ ଭିତରୁ ଦିନେ ଉଦ୍ଭବ ହେବେ ଯୁଗାନ୍ତକାରୀ ଭକ୍ତ ପ୍ରହ୍ଲାଦ l ଯାହା ହେଲେ ବି ପ୍ରହ୍ଲାଦ ଜନ୍ମର ମାଧ୍ୟମ କିଏ ହେବେ? ନିଜେ ହିରଣ୍ୟକଶିପୁ l ତେଣୁ ସେଇ ଭାବରେ ନାରଦ ତାଙ୍କୁ ପ୍ରଶଂସା ବା ସ୍ତୁତି କରୁଥିଲେl

ସନ୍ଥ ତୁଳସୀ ହିରଣ୍ୟକଶିପୁକୁ କଳିଯୁଗ ସହ ତୁଳନା କରିଛନ୍ତି l ପ୍ରହ୍ଲାଦକୁ କଳିଯୁଗର ପୁତ୍ର ବୋଲି ସମ୍ବୋଧିତ କରିଛନ୍ତି l ଏହାର ତତ୍ତ୍ୱ ବଡ଼ ଗଭୀର l ହିରଣ୍ୟକଶିପୁ ଯଦି କଳିଯୁଗ ହେବ ତେବେ ତାଙ୍କ ପୁତ୍ରକୁ କଳିଯୁଗର ପୁତ୍ର ଭାବେ ଚିହ୍ନିତ କରିବାର କି ଅଭିପ୍ରାୟ ଅଛି?

ପାଠକେ ! ଏହା ସତ୍ୟ ଯେ କଳିଯୁଗରେ ଯେତେ ଯାହା ଅନ୍ୟାୟ ଅନୀତି ଘଟୁଛି, ତାହା ପ୍ରାୟ ହିରଣ୍ୟକଶିପୁର କାର୍ଯ୍ୟଧାରା ପରି l କିନ୍ତୁ ତାକୁ ଶେଷରେ ବୁଦ୍ଧି ଶିଖାଇଥିଲା କିଏ? ନା ତା’ରି ଔରସରୁ ଜନ୍ମ ପ୍ରହ୍ଲାଦ l ଠିକ୍‌ ସେହିପରି କଳିଯୁଗର ପ୍ରଭାବକୁ କାଟିବା ପାଇଁ ହେଲେ ଆମକୁ ଜଣେ ଜଣେ ପ୍ରହ୍ଲାଦଙ୍କ ପରି ସାଧନା କରିବାକୁ ପଡିବ l ହିରଣ୍ୟକଶିପୁ ନିଜ ପୁତ୍ର ପ୍ରହ୍ଲାଦର ସାଧନାରେ କେତେ ବ୍ୟାଘାତ ନ ପହଞ୍ଚାଇଛି, କେତେ କଷ୍ଟ ତାକୁ ନ ଦେଇଛି l କିନ୍ତୁ ଏ ସବୁରେ ବି ପ୍ରହ୍ଲାଦ ନିଷ୍ଠାପର ଭାବେ ତା’ ସାଧନାରେ ବ୍ରତୀ ରହିଛି ଶେଷ ଯବନିକା ପଡ଼ିବା ପର୍ଯ୍ୟନ୍ତ l କେବେ ହତୋତ୍ସାହିତ ହୋଇନି କି ନିଜ ସାଧନାକୁ ଅଧାରେ ଛାଡି ଅନ୍ୟ କେଉଁ ମାର୍ଗରେ ପଳାଇ ଯାଇନି l ପିଲାଟିଏ କିନ୍ତୁ ମାନିବାକୁ ପଡିବ ସାଧନା ପ୍ରତି ଥିବା ତା’ ସମର୍ପିତ ବିଶ୍ୱାସକୁ l
ସେ ଯୁଗରେ ହିରଣ୍ୟକଶିପୁ ଏବଂ ପ୍ରହ୍ଲାଦ – ଦୁଇଜଣ ଅଲଗା ଥିଲେ l ଦୁଇଟି ଶରୀର ଥିଲା କିନ୍ତୁ ଏବେ ଅର୍ଥାତ୍‌ ଏ କଳିଯୁଗରେ ଆମେ ହିଁ ହିରଣ୍ୟକଶିପୁ ଏବଂ ଆମେ ହିଁ ପ୍ରହ୍ଲାଦ l ଆମେ ହିରଣ୍ୟକଶିପୁ ପରି ଅନ୍ୟାୟ ଅତ୍ୟାଚାର କରୁଛୁ ପୁଣି ଯେତେବେଳେ ଚେତନା ଆସୁଛି ସେତେବେଳେ ସାଧନାରେ ଲାଗିପଡୁଛୁ l ବର୍ଷେ ଦି ବର୍ଷ ସାଧନା ପରେ ଯଦି କିଛି ଅନୁଭବ ନ ହେଉଛି କିମ୍ବା ଆମ ସାଧନାରେ କିଏ ବାରମ୍ବାର ବିଘ୍ନ ସୃଷ୍ଟି କରୁଛି ତେବେ ଆମେ ଭାଙ୍ଗି ପଡୁଛେ l ଜପ ବା ପ୍ରାର୍ଥନା ଆଦି ସାଧନା କରୁଥିବା ସମସ୍ତ ସାଧକ କ’ଣ ସିଦ୍ଧି ପାଇ ପାରନ୍ତି? ଯିଏ ପ୍ରହ୍ଲାଦ ପରି ଲାଗିକରି ରୁହେ ଶେଷରେ ସେ ପାଷାଣ ଅର୍ଥାତ୍‌ ସ୍ତମ୍ଭ ଆଦି ଦେହରେ ବି ଈଶ୍ୱରଙ୍କ ଅସ୍ତିତ୍ୱକୁ ଅନୁଭବ କରିପାରେ l ଶହେ ଜନ୍ମ ବିତିଗଲେ ବି ଆମେ କେବେ ହିରଣ୍ୟକଶିପୁ ପରି ହୋଇ ପାରିବା ନାହିଁ l ସ୍ତମ୍ଭ ଉପରେ ସେ ଗଦା ପ୍ରହାର କଲା l ବାହାରିଲେ ନୃସିଂହ ଭଗବାନ୍‌ l ଆମେ ସେମିତି ଏକ ସ୍ତମ୍ଭ ଉପରେ ପ୍ରହାର କଲେ କେବଳ କଂକ୍ରିଟ, ରଡ ଏବଂ ଗୋଡ଼ି ହିଁ ବାହାରିବ। ଆମେ କିନ୍ତୁ ପ୍ରହ୍ଲାଦ ହୋଇ ନାମ ଜପି ପାରିବା l ଭଗବତ ଦର୍ଶନ ସହିତ କଳିଯୁଗର ପ୍ରଭାବରୁ ମୁକ୍ତି ପାଇପାରିବା l

-ଦିବ୍ୟାଲୋକ ସନ୍ଧାନେ, ରାମନଗର, ତେଲେଙ୍ଗାପେଣ୍ଠ, କଟକ
ମୋ:୯୭୭୭୭୯୭୮୪୧

Share