୨ଶହ ଦଳିତ ପରିବାରଙ୍କୁ ବାସନ୍ଦ

ବ୍ରହ୍ମପୁର ଅଫିସ,୩।୧୨: ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ହରିଡ଼ାପଦରରେ ଜାତିଗତ ଭେଦ ଭାବ ନେଇ ପ୍ରାୟ ୨ଶହ ଦଳିତ ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଛି। ଗ୍ରାମରେ ସଂଖ୍ୟାଗରିଷ୍ଠ ସବର୍ଣ୍ଣ ଲୋକଙ୍କ ପକ୍ଷରୁ କଙ୍ଗାରୁ କୋର୍ଟ ବସି ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ଗାଁର ଦଳିତ ପରିବାରର ଲୋକେ ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବା, ଗାଁ ରାସ୍ତାରେ ବିବାହ ପଟୁଆର ନେବା, ସର୍ବସାଧାରଣ ପୋଖରୀକୁ ବ୍ୟବହାର କରିବା, ନଳକୂପରୁ ପିଇବା ପାଣି ନେବା, ଏପରିକି ଦୋକାନରୁ ସାମଗ୍ରୀ କିଣିବାରୁ ବଞ୍ଚିତ ରହିଛନ୍ତି। କେବଳ ଏତିକିରେ ନିର୍ଯାତନା ସରିନି। ଏପରିକି ଦଳିତ ସାହିର ପ୍ରାୟ ଦେଢଶହ ପିଲା ଗତ ଦେଢ ମାସ ହେଲା ଅଙ୍ଗନୱାଡ଼ି କେନ୍ଦ୍ରରୁ ଖାଦ୍ୟ ପାଇପାରୁ ନ ଥିବା ବେଳେ ପ୍ରାଥମିକ ସ୍କୁଲକୁ ମଧ୍ୟ ଯାଇପାରୁ ନ ଥିବା ଅଭିଯୋଗ ହୋଇଛି। ବାସନ୍ଦ ପରିବାରଗୁଡିକ ପକ୍ଷରୁ ଏ ନେଇ ସ୍ଥାନୀୟ ତହସିଲଦାର ଓ ପୋଲିସ ପ୍ରଶାସନକୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଦେଢ ମାସ ହେଲା ନ୍ୟାୟ ମିଳିନି ବୋଲି ଗଞ୍ଜାମ ଜିଲା ଦଳିତ ମହାସଭା ଅଭିଯୋଗ କରିଛି।
କେବଳ ହରିଡ଼ାପଦର ନୁହେଁ, ଗଞ୍ଜାମର ଅନେକ ଗ୍ରାମରେ ମଧ୍ୟ ସଂଖ୍ୟାଗରିଷ୍ଠ ସବର୍ଣ୍ଣ ଲୋକେ ଜାତିଆଣ ମନୋଭାବ ନେଇ ସାମାଜିକ ବାସନ୍ଦ ଭଳି ବେଆଇନ କାର୍ଯ୍ୟ କରାଯାଉଛି। ଶୁକ୍ରବାର ଜିଲା ଦଳିତ ମହାସଭା, ଅଖିଳ ଭାରତ କିଶାନ୍‌ ମଜଦୁର ସଭା ଓ ଅନ୍ୟାନ୍ୟ ସଂଗଠନ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି)ଙ୍କ କାର୍ଯ୍ୟାଳୟ ଆଗରେ ଏହାର ପ୍ରତିବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆର୍‌ଡିସି ଓ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କୁ ଏ ନେଇ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ହରିଡ଼ାପଦର ଗାଁରେ ପୂର୍ବସ୍ଥିତି ଫେରାଇ ଆଣିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି। ପ୍ରତିବାଦ ସଭାରେ ଅଖିଳ ଭାରତ କିଶାନ ମଜଦୁର ସଭାର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଜିଲା କମିଟି ସଦସ୍ୟ ଲଡ଼ୁ କିଶୋର ଡାକୁଆ, ଗଞ୍ଜାମ ଜିଲା ଦଳିତ ମହାସଭାର ସମ୍ପାଦକ ସଂଗ୍ରାମ ନାୟକ, କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରଦୀପ ସେଠୀ, ମାନବବାଦୀ ହେତୁବାଦୀ ସଂଗଠନର ଜିଲା ସମ୍ପାଦକ କେ. ନନ୍ଦେଶୁ ସେନାପତି, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ଜନ ଜାଗରଣର ଆବାହକ ମଧୂସୁଦନ ସେଠୀ, ଆଇଏଫ୍‌ଟିୟୁର ଆବାହକ ତଥା ଶ୍ରମିକନେତା ପ୍ରତାପ ପ୍ରଧାନଙ୍କ ସମେତ ହରିଡ଼ାପଦର ଗ୍ରାମର ଧବଳେଶ୍ୱର ନାହାକ, କହ୍ନେଇ ନାହାକ ଓ ଅନ୍ୟମାନେ ସାମିଲ ଥିଲେ।