Categories: ବାଣିଜ୍ୟ

ବିଏସ୍‌-୪ ଯାନ ପଞ୍ଜୀକରଣକୁ ଅନୁମତି

ନୂଆଦିଲ୍ଲୀ,୧୪।୮: ମାର୍ଚ୍ଚରେ ବିକ୍ରି ହୋଇଥିବା ବିଏସ୍‌-୪ ଯାନର ପଞ୍ଜୀକରଣ ନେଇ ସୁପ୍ରିମକୋର୍ଟ ଗୁରୁବାର ଅନୁମତି ପ୍ରଦାନ କରିଛନ୍ତି। ମାର୍ଚ୍ଚରେ ବିକ୍ରି ହୋଇଥିବା ବିଏସ୍‌-୪ ଯାନ ଲକ୍‌ଡାଉନ ଲାଗି ପଞ୍ଜୀକରଣରେ ବିଭିନ୍ନ ସମସ୍ୟା ଉପୁଜିଥିଲା। ସୁପ୍ରିମକୋର୍ଟଙ୍କ ଅନୁମତି ପରେ ଲୋକଙ୍କୁ ଆଶ୍ୱସ୍ତି ମିଳିଥିବା ଜଣାପଡ଼ିଛି। ସରକାରଙ୍କ ଡାଟା ମୁତାବକ ମାର୍ଚ୍ଚ ୧୨ରୁ ମାର୍ଚ୍ଚ ୩୧ ମଧ୍ୟରେ ଘରୋଇ ବଜାରରେ ୯.୯୫ ଲକ୍ଷ ବିଏସ୍‌-୪ ଯାନ ବିକ୍ରି ହୋଇଛି। ଏହା ମଧ୍ୟରେ ୯.୦୧ ଲକ୍ଷ ଯାନ ପଞ୍ଜୀକରଣ ହୋଇଛି। ୨୦୧୮ ଅକ୍ଟୋବରେ ସୁପ୍ରିମକୋର୍ଟ କହିଥିଲେ ଯେ, ୨୦୨୦ ଏପ୍ରିଲ ପହିଲାରୁ ବିଏସ୍‌-୪ ଯାନ ବିକ୍ରି କିମ୍ବା ପଞ୍ଜୀକରଣ ହୋଇପାରିବ ନାହିଁ। ୨୦୧୬ରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ, ବିଏସ୍‌-୫ ନିୟମକୁ ବାଦ୍‌ ଦେଇ ୨୦୨୦ରୁ ବିଏସ୍‌-୬ ନିୟମ ଭାରତରେ ଲାଗୁ କରାଯିବ। ଯାନବାହନରୁ ବାହାରୁ ଥିବା ପ୍ରଦୂଷଣକାରୀ ପଦାର୍ଥକୁ କମାଇବା ଲାଗି ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିଲେ। ଦେଶ ମଧ୍ୟରେ ବିଏସ୍‌-୪ ବର୍ଗରେ ୭ ଲକ୍ଷ ୨ ଚକିଆ, ୧୫ ହଜାର ଯାତ୍ରୀବାହୀ ଯାନ ଏବଂ ୧୨ ହଜାର ବାଣିଜି୍ୟକ ଯାନ ବିକ୍ରି ହୋଇପାରି ନ ଥିବା ମାର୍ଚ୍ଚରେ ସୁପ୍ରିମକୋର୍ଟକୁ ସୂଚନା ଦିଆଯାଇଥିଲା। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଯାନଗୁଡିକୁ ବିକ୍ରି କରିବା ଲାଗି ପ୍ରାୟ ୧୦ ଦିନ ସମୟ ମିଳିଥିଲା।

Share