ଋଷିକୁଲ୍ୟା କଂସାରି ଗଣ୍ଡରେ ନିର୍ମାଣ ହେବ ବ୍ୟାରେଜ

ଛତ୍ରପୁର, ୫ା୯(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଦେଇ ପ୍ରବାହିତ ଋଷିକୁଲ୍ୟା ନଦୀରେ କଂସାରି ଗଣ୍ଡ ଜଳ ସଂରକ୍ଷଣ ପ୍ରକଳ୍ପ ନିମନ୍ତେ ୧୫୨ କୋଟି ୧୦ଲକ୍ଷ ବ୍ୟୟରେ ବରଦା ଗ୍ରାମ ନିକଟରେ ଏକ ଆନିକଟ ନିର୍ମାଣ କରାଯିବ। ୨୦୪ ମିଟର ଲମ୍ବ ବିଶିଷ୍ଟ ଏହି ଆନିକଟ ନିର୍ମାଣ ୨୦୨୫ ଅକ୍ଟୋବର ୧୭ ସୁଦ୍ଧା ଶେଷହେବ। ଏହି ଆନିକଟ ହେଲେ ୧ଲକ୍ଷ ୫୨ହଜାର ୬ଶହ ଲୋକ ଉପକୃତ ହୋଇପାରିବେ। ଏହାର ରକ୍ଷଣାବେକ୍ଷଣ ପାଇଁ ୫ ବର୍ଷରେ ୨ କୋଟି ୫୦ ଲକ୍ଷ ଖର୍ଚ୍ଚ ବେ । ଏହାଦ୍ୱାରା ବନ୍ୟା ପରିସ୍ଥିତିରୁ ରକ୍ଷା, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ବ୍ଲକ, ଗଞ୍ଜାମ ବ୍ଲକ, ଛତ୍ରପୁର ଓ ଗଞ୍ଜାମ ଏନଏସି ସମେତ ବ୍ରହ୍ମପୁର ସହର ଲୋକଙ୍କୁ ବିଶୁଦ୍ଧ ପାଣି ମିଳିବ। ଏହାସହ ଛତ୍ରପୁର ବ୍ଲକ, ଗଞ୍ଜାମ ବ୍ଲକ ଓ ପୁରୁଷୋତ୍ତମପୁର ବ୍ଲକର ୬୩୫ ହେକ୍ଟର କୃଷି କ୍ଷେତ୍ରକୁ ଜଳସଚନ ବ୍ୟବସ୍ଥା, ଭୂତଳ ଜଳସ୍ତର ଉନ୍ନତି ହୋଇପାରିବ। ମାଛ ଚାଷରେ ସହାୟକ ହୋଇପାରିବ। ଏହି ପ୍ରକଳ୍ପ ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲା। ୨୦୧୯ରେ ବିଧାୟକ ଭାବେ ସୁବାସ ବେହେରା ନିର୍ବାଚିତ ହେବା ପରେ ବିଧାନସଭା ଅଧିବେଶନର ଶୂନ୍ୟକାଳରେ ଋଷିକୁଲ୍ୟା ନିକଟରେ ବ୍ରିଜ ଓ ବ୍ୟାରେଜ ପ୍ରକଳ୍ପ ନିର୍ମାଣ ପାଇଁ ସ୍ବର ଉଠାଇଥିଲେ। ଏହି ପ୍ରକଳ୍ପ ପାଇଁ ୯ ଜୁଲାଇ ୨୦୨୧ରେ ବିଧାୟକ ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ବ୍ଲକରେ ଅନୁଷ୍ଠିତ ଭିଡିଓ ଭିସି ଜରିଆରେ ୫-ଟି ସଚିବଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପ୍ରକଳ୍ପର ଅନୁମୋଦନ ପାଇଁ ଅନୁରୋଧ କରିଥିଲେ। ସେହି ସମୟରେ ୫-ଟି ସଚିବ ଭି.କେ ପାଣ୍ଡିଆନ ନିର୍ଭର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ, ଯାହା ଏବେ ଏହା ଫଳପ୍ରଦ ହୋଇପାରିଛି ବୋଲି ବିଧାୟକ କହିଛନ୍ତି ।