ବରଗଡ଼ ଗୁଳିକାଣ୍ଡ ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ,୨୨ା୩: ବରଗଡ଼ ସହରର ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ଗତ ୯ ତାରିଖ ରାତିରେ ସଂଘଟିତ ଗୁଳିକାଣ୍ଡ, ଭୁଜାଲି ମାଡ଼ ଘଟଣାରେ ସମ୍ପୃକ୍ତ ଆଉ ୩ ଅଭିଯୁକ୍ତଙ୍କୁ ସ୍ଥାନୀୟ ଟାଉନ ଥାନା ପୋଲିସ ବୁଧବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବିହାରର ଭୋଜପୁର ଜିଲା ସଲନିର ଥାନା ଇନୋର୍କି ଗ୍ରାମର ମୂଳବାସିନ୍ଦା ତଥା ବର୍ତ୍ତମାନ ବରଗଡ଼ ଟାଉନ ଥାନା ପାଣିଛତର ଗୌଲାପଡ଼ାରେ ରହୁଥିବା ରୋହିତ ଯାଦବ(୨୧), ରେଳଷ୍ଟେଶନ ପଡ଼ାର ବିଜୟ କେତନ ମହାନ୍ତି(୪୮) ଏବଂ ବରଗଡ଼ ସଦର ଥାନା ଅନ୍ତର୍ଗତ ଲାଉନସରାର କ୍ଷୀରୋଦ୍ର ବିଶ୍ୱାଳ(୨୫)। ଏମାନଙ୍କୁ ମିଶାଇ ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୧ରେ ପହଞ୍ଚିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କ ପାଖରୁ ପିସ୍ତଲ, ଟାଙ୍ଗିଆ, ବାଇକ୍‌ ଆଦି ଜବତ ହୋଇଛି । ବୁଧବାର ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୭ ଜଣଙ୍କୁ ନେଇ ପୋଲିସ ଘଟଣାସ୍ଥଳରେ ସିନ୍‌ ରିକ୍ରିଏଟ୍‌ କରିଥିଲା । ଏହାପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ବରଗଡ଼ ଟାଉନ ଥାନାରେ ବିଭିନ୍ନ ଦଫାରେ କେସ୍‌ ନଂ ୧୬୬/୨୩ରେ ଏକ ମାମଲା ରୁଜୁ ହୋଇଛି।
ସୂଚନାଯୋଗ୍ୟ, ଗତ ୯ ତାରିଖ ରାତିରେ ବରଗଡ଼ ହାଟପଦାର ଜଗନ୍ନାଥ କର୍ଣ୍ଣ ତାଙ୍କ ବନ୍ଧୁ ଲକ୍ଷ୍ମଣ ସାହୁଙ୍କ ସହିତ ବରଗଡ଼ ସରକାରୀ ବସ୍‌ଷ୍ଟାଣ୍ଡ ପାଖରେ ରହିଥିବା ଏକ କୁକୁଡ଼ା ଦୋକାନ ପାଖରେ ବସିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ବନ୍ଧୁକ, ଭୁଜାଲି ଆଦି ମାରଣାସ୍ତ୍ର ଧରି ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଜଗନ୍ନାଥ ଗୁରୁତର ହୋଇଥିବାବେଳେ ଲକ୍ଷ୍ମଣ ସାମାନ୍ୟ ଆହତ ହୋଇଥିଲେ। ଲକ୍ଷ୍ମଣଙ୍କ ଏତଲାକ୍ରମେ ପୋଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା। ଏହି ଘଟଣାରେ ପୋଲିସ ଗତ ୧୦ ତାରିଖରେ ବରଗଡ଼ ରେଳ ଷ୍ଟେଶନ ପଡ଼ାର ବିଷ୍ଣୁରଞ୍ଜନ ମହାପାତ୍ର(୩୩), ମନାବନ୍ଧ ପଡ଼ାର ପ୍ରମୋଦ ମଲ୍ଳିକ(୪୨ଙ୍କୁ ଗିରଫ କରିଥିବା ବେଳେ ଗତ ୧୨ ତାରିଖରେ ବରଗଡ଼ ରେଳ ଷ୍ଟେଶନ ପଡ଼ାର ସୁଜିତ ସ୍ବାଇଁ(୨୬), ଦୁଷ୍ମନ୍ତ ମହାନ୍ତି(୨୮), ସରୋଜ ମଲ୍ଲିକ(୨୮),ଦିବ୍ୟରଞ୍ଜନ ଦାଶ(୨୭), ଅମିତ କୁମାର ନାୟକ(୨୪) ଏବଂ ଇନ୍ଦ୍ରଜିତ ସ୍ବାଇଁ(୨୭) ପୋଲିସ ହାତରେ ଧରାପଡ଼ି କୋର୍ଟଚାଲାଣ ହୋଇଥିଲେ। ଜାମିନ ନାମଞ୍ଜୁର ହେବାରୁ ସେମାନେ ବରଗଡ଼ ସବ୍‌ଜେଲ ହାଜତରେ ଥିଲେ। ତେବେ ଗତ ୨୦ ତାରିଖରେ ପୋଲିସ ସବ୍‌ଜେଲରେ ରହିଥିବା ଅଭିଯୁକ୍ତ ବିଷ୍ଣୁରଞ୍ଜନ, ପ୍ରମୋଦ, ସୁଜିତ ଏବଂ ଦିବ୍ୟରଞ୍ଜନଙ୍କୁ ରିମାଣ୍ଡରେ ଆଣିଥିଲା। ଏହି ୪ ଅଭିଯୁକ୍ତଙ୍କ ସହିତ ରୋହିତ, ବିଜୟକେତନ ଏବଂ କ୍ଷୀରୋଦ୍ରଙ୍କୁ ନେଇ ବୁଧବାର ପୋଲିସ ଘଟଣାସ୍ଥଳରେ ସିନ୍‌ ରିକ୍ରିଏଟ୍‌ କରିଥିଲା।