ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି ମଞ୍ଚକୁ ଉଦଘାଟନ କରିଥିଲେ। ଉଦଘାଟନୀ ସମାରୋହରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ, ଏସପି ପି.ଏସ୍ ମୀନା, ବରଗଡ଼ ପୌରାଧ୍ୟକ୍ଷା କଳ୍ପନା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ରଙ୍ଗମହଲ ମଞ୍ଚର ଆବାହକ ଅକ୍ରୂର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ରଙ୍ଗମହଲ ଉଦଘାଟନ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖି ବିଚଳିତ କଂସ ନିଜ ମନକୁ ଶାନ୍ତ କରିଥିଲେ। ଅନ୍ୟପଟେ କାରାଗାରରେ ବନ୍ଦୀ ଦେବକୀଙ୍କ କୋଳରେ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ବସୁଦେବ ଶ୍ରୀକୃଷ୍ଣଙ୍କୁ ଧରି ଗୋପପୁରକୁ ଯାଇଥିଲେ। ସେଠାରେ ନନ୍ଦରାଣୀ, ନନ୍ଦରାଜାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଛାଡ଼ିଥିଲେ ଏବଂ ବିଜୁଳିକନ୍ୟାଙ୍କୁ ଧରି ବସୁଦେବ ନିଶାର୍ଦ୍ଧରେ କାରାଗାର ପ୍ରତ୍ୟାବର୍ତ୍ତନ କରିଥିଲେ।
Dharitri – Odisha’s No.1 Odia Daily


