କୋହଳ ଦଫା ଲଗାଇ ଖସାଇଦେବାକୁ ଯୋଜନା, ତେଜିଲା ଆନ୍ଦୋଳନ

ଭଞ୍ଜନଗର,୧୮ା୧୧(ଡି.ଏନ.ଏ): ଭଞ୍ଜନଗର ବାର୍‌ ଆସୋସିଏଶନର ବରିଷ୍ଠ ସଭ୍ୟା ଅଭାଙ୍ଗିନୀ ବିଷୋୟୀ, ତାଙ୍କ ଭାଉଜ ଓ ଭାଇଙ୍କ ସମେତ ଅବସରପ୍ରାପ୍ତ ଏସ୍‌ଆଇ ଏବଂ ଜଣେ ଯୁବକଙ୍କୁ ବୁଧବାର ରାତିରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଏ ନେଇ ଥାନାରେ ଏତଲା ପ୍ରକାରେ ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ଦଫା ଲଗାଇନାହିଁ । କୋହଳ ଦଫା ଲଗାଇ ସେମାନଙ୍କୁ ଖସାଇଦେବାକୁ ଯୋଜନା କରୁଛି। ଏହାର ପ୍ରତିବାଦରେ ଭଞ୍ଜନଗର ବାର୍‌ ଆସୋସିଏଶନ କର୍ମକର୍ତ୍ତାମାନେ ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର କୋର୍ଟ ସମ୍ମୁଖରେ ରାସ୍ତାରୋକୋ କରିଥିଲେ।

ଫଳରେ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା ଦଫା ଲଗାଇବା ସହ ତୁରନ୍ତ ଗିରଫ କରିବା ପାଇଁ ବାର ଆସୋସିଏଶନ ସଭାପତି ସନ୍ତୋଷ ନାୟକ ଦାବି କରିଛନ୍ତି । ଆନ୍ଦୋଳନରେ ବାର ଆସୋସିଏଶନ ସଭାପତିଙ୍କ ସମେତ ଉପ ସଭାପତି ଧୀରେନ ସ୍ବାଇଁ, ସମ୍ପାଦକ ଅମରେଶ ମହାପାତ୍ର, ସହ ସମ୍ପାଦକ ଚନ୍ଦ୍ରମଣି ମହାପାତ୍ର, କୋଷାଧ୍ୟକ୍ଷ ଗିରିଜା ଶଙ୍କର ଭୂୟାଁ, ଭାଜପା ନେତା ଅଯୋଧ୍ୟାନାଥ ମହାପାତ୍ର, ବାମପନ୍ଥୀ ନେତା ହରେକୃଷ୍ଣ ସାହୁ ପ୍ରମୁଖ ସାମିଲ ଥିଲେ। ପୋଲିସ ଏହି ମାମଲାରେ ୫ ଯୁବକଙ୍କୁ ଥାନାକୁ ଆଣି ପଚରାଉଚାର କରୁଛି ।