Categories: ଖେଳ

ବାପୁଜୀ, ରାମେଶ୍ୱର ସ୍ପୋର୍ଟିଂ ବିଜୟୀ

ଭୁବନେଶ୍ୱର, ୨୪।୨(ତପନ ସ୍ବାଇଁ): ମୁନ୍‌ ଲାଇଟ୍‌ ୟୁଥ୍‌ କ୍ରିକେଟ କ୍ଲବ ଆନୁକୂଲ୍ୟରେ ବିଜେବି କଲେଜ ପଡ଼ିଆରେ ଚାଲିଥିବା ୭ମ ନବ ଦାସ ଓ ୩ୟ ପ୍ରଶାନ୍ତ ମହାପାତ୍ର ମେମୋରିଆଲ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ୩ୟ ଓ ୪ର୍ଥ ଲିଗ୍‌ ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ବାପୁଜୀ କ୍ରିକେଟ କ୍ଲବ ଓ ରାମେଶ୍ୱର ସ୍ପୋର୍ଟିଂ ବିଜୟ ହାସଲ କରିଛି। ଦିବସର ପ୍ରଥମ ମ୍ୟାଚରେ ବାପୁଜୀ କ୍ଲବ ୭୦ ରନରେ ଟାଉନ୍‌ କ୍ଲବକୁ ପରାସ୍ତ କରିଛି। ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବାପୁଜୀ କ୍ଲବ ୨୦ ଓଭରରେ ୭ ଉଇକେଟ ହରାଇ ୨୫୬ ରନ କରିଥିଲା। ଦଳ ପକ୍ଷରୁ କ୍ଷମାସାଗର ବଳ ସର୍ବାଧିକ ୯୬ ଓ ସିଦ୍ଧାନ୍ତ କୁମାର ଜେନା ୭୩ ରନ କରିଥିଲେ। ବିପକ୍ଷ ଦଳର ବୋଲର ବିଶାଲ କର ସର୍ବାଧିକ ୪ଟି ଉଇକେଟ ନେଇଥିଲେ। ୨୫୭ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଟାଉନ୍‌ କ୍ଲବ ୨୦ ଓଭରରେ ୭ ଉଇକେଟ ହରାଇ ୧୮୬ ରନ କରିବାକୁ ସକ୍ଷମ ହୋଇଥିଲା। ବିଶାଲ କର ୪୩ ରନ କରିଥିଲେ। ବିଜୟୀ ଦଳ ପକ୍ଷରୁ ସୟଦ ଜାକି ଓ ମନୋଜ କୁମାର ବାରିକ ୨ଟି ଲେଖାଏ ଉଇକେଟ ନେଇଥିଲେ। କୈଳାସ ପାତ୍ର ଅତିଥିଭାବେ ଯୋଗଦେଇ କ୍ଷମାସାଗରଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଦ୍ୱିତୀୟ ମ୍ୟାଚରେ ରାମେଶ୍ୱର ସ୍ପୋର୍ଟିଂ ୧୮ ରନରେ ପ୍ରଗତି ସ୍ପୋର୍ଟିଂକୁ ହରାଇ ଦେଇଛି। ରାମେଶ୍ୱର ୨୦ ଓଭରରେ ୧୪୬ ରନ୍‌କରି ଅଲ୍‌ଆଉଟ ହୋଇଥିଲା। ଦଳ ପକ୍ଷରୁ ବିଶ୍ୱଜିତ ମଲିକ ସର୍ବାଧିକ ୩୬ ଓ ଏମ.ଜି. ଗୋପାଳ ୩୦ ରନ କରିଥିଲେ। ପ୍ରତିପକ୍ଷ ଦଳର ମିଲନ ସାମଲ ୪ଟି ଓ ସୁମିତ ମହାରଣା ୨ଟି ଉଇକେଟ ନେଇଥିଲେ। ଜବାବରେ ପ୍ରଗତି ସ୍ପୋର୍ଟିଂ ୧୯.୧ ଓଭରରେ ୧୨୮ ରନକରି ଅଲ୍‌ଆଉଟ ହୋଇଥିଲା। ଶୁଭମ୍‌ ନାଏକ ସର୍ବାଧିକ ୪୩ ରନ କରିଥିଲେ। ରାମେଶ୍ୱରର ସମ୍ବିତ ବରାଳ ଓ ଲାଲୁ ମହାନ୍ତି ୨ଟି ଲେଖାଏ ଉଇକେଟ ନେଇଥିଲେ। ରଣଜୀ ଖେଳାଳି ତଥା ଚୟନକର୍ତ୍ତା ଦୀପକ ମଙ୍ଗରାଜ ଅତିଥିଭାବେ ଯୋଗଦେଇ ବିଜୟୀ ଦଳର ଏମ.ଜି. ଗୋପାଳଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ ପୁରସ୍କାର ଦେଇଥିଲେ।

Share