ଲଣ୍ଡନ,୨୨ା୫ (ପି.ଟି.): ଲେଖିକା, ଆକ୍ଟିଭିଷ୍ଟ ତଥା ଆଇନଜୀବୀ ବାନୁ ମୁସ୍ତାକ ତାଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ହାର୍ଟ ଲ୍ୟାମ୍ପ୍’ (ହୃଦୟ ଦୀପ) ପାଇଁ ଚଳିତ ବର୍ଷର ସମ୍ମାନଜନକ ଇଣ୍ଟରନ୍ୟାଶନାଲ ବୁକର ପ୍ରାଇଜ୍ ପାଇଛନ୍ତି। ଏହି ପୁରସ୍କାର ଜିତିବାରେ ହାର୍ଟ ଲ୍ୟାମ୍ପ୍ ପ୍ରଥମ କନ୍ନଡ଼ ପୁସ୍ତକ। ଲଣ୍ଡନର ଟାଟେ ମଡର୍ନଠାରେ ଅନୁଷ୍ଠିତ ଉତ୍ସବରେ ବାନୁଙ୍କୁ ଏହି ପୁରସ୍କାର ବାବଦରେ ୫୦ ହଜାର ବ୍ରିଟିଶ ପାଉଣ୍ଡ (୫୭,୩୬,୯୬୦ ଟଙ୍କା) ପ୍ରଦାନ କରାଯାଇଛି। ମଙ୍ଗଳବାର ରାତିରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବାନୁଙ୍କ ସହ ପୁସ୍ତକର ଇଂଲିଶ୍ ଅନୁବାଦ କରିଥିବା ଦୀପା ଭସ୍ତି ମଞ୍ଚରେ ଉପସ୍ଥିତ ଥିଲେ। ଦୀପାଙ୍କ ସହ ବାନୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ଏହା ବିବିଧତାର ବିଜୟ ବୋଲି ବାନୁ କହିଛନ୍ତି। ହାର୍ଟ ଲ୍ୟାମ୍ପ୍ ୧୨ଟି କ୍ଷୁଦ୍ରଗଳ୍ପର ସଂକଳନ, ଯେଉଁଥିରେ ଦକ୍ଷିଣ ଭାରତର ପିତୃକୈନ୍ଦ୍ରିକ ସମ୍ପ୍ରଦାୟର ମହିଳାମାନଙ୍କ ଦୈନନ୍ଦିନ ଜୀବନର ନମ୍ରତା, ପ୍ରତିରୋଧତା, ବୁଦ୍ଧିମତ୍ତା ଓ ଭଗ୍ନିତ୍ୱ ପ୍ରତିପାଦିତ ହେବା ସହ ମୌଖିକ କାହାଣୀ କଥନର ଉନ୍ନତ ପରମ୍ପରା ଜରିଆରେ ଜୀବନରେ ଉଜ୍ଜ୍ୱଳତା ଅଣାଯାଇଛି। ବୁକର ପୁରସ୍କାର ଜିତିଥିବା କନ୍ନଡ଼ ଲେଖିକା ବାନୁଙ୍କୁ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଅଭିନନ୍ଦନ ଜଣାଇଛନ୍ତି।
୧୯୪୮ରେ କର୍ନାଟକର ହାସନଠାରେ ଏକ ମୁସଲମାନ ପରିବାରରେ ଜନ୍ମିତ ବାନୁ ମୁସ୍ତାକ ଜଣେ ଖ୍ୟାତନାମା ଲେଖିକା, ଆଇନଜୀବୀ ଓ ଆକ୍ଟିଭିଷ୍ଟ ହୋଇଥିବାବେଳେ ସେ କନ୍ନଡ ସମେତ ଉର୍ଦ୍ଦୁ, ହିନ୍ଦୀ, ତାମିଲ, ମାଲାୟାଲମ ଏବଂ ଇଂଲିଶ୍ରେ ଅନେକ ଲେଖା ଲେଖିଛନ୍ତି। ସେ ପୂର୍ବରୁ ଲଙ୍କେଶ ପତ୍ରିକେରେ ଖବରଦାତା ଭାବେ କାର୍ଯ୍ୟ କରିଥିଲେ। ପରେ ସେ ଅଲ୍ ଇଣ୍ଡିଆ ରେଡିଓ ବେଙ୍ଗାଲୁରୁରେ ଯୋଗ ଦେଇଥିଲେ। ଛୋଟବେଳୁ ତାଙ୍କର ଲେଖାଲେଖି ପ୍ରତି ରୁଚି ରହିଥିଲା। ନିଜ ଅନୁଭୂତି ଓ ଅଭିଜ୍ଞତାକୁ ନେଇ ସେ ପ୍ରଥମେ ଲେଖିବା ଆରମ୍ଭ କରିଥିଲେ। ତାଙ୍କର ଅଧିକାଂଶ ଲେଖା ନାରୀ ପ୍ରସଙ୍ଗ ଉପରେ ଆଧାରିତ। ତାଙ୍କର ୬ଟି କ୍ଷୁଦ୍ରଗଳ୍ପ ସଂକଳନ, ଉପନ୍ୟାସ, ପ୍ରବନ୍ଧ ଓ କବିତା ସଂକଳ୍ପ ପ୍ରକାଶିତ ହୋଇଛି। ତାଙ୍କର ‘କାରି ଗାନାରାଗାଲୁ’ ଗଳ୍ପ ଆଧାରରେ ୨୦୦୩ରେ ହାସିନା ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା। ସେ ୮୦ ଦଶକରୁ କର୍ନାଟକରେ ମୌଳବାଦ ଓ ସାମାଜିକ ଅନ୍ୟାୟ ବିରୋଧରେ କାର୍ଯ୍ୟ କରିଆସୁଛନ୍ତି। ସେ କର୍ନାଟକ ସାହିତ୍ୟ ଏକାଡେମୀ ପୁରସ୍କାର, ଦାନ ଚିନ୍ତାମଣି ଅତ୍ତିମାବେ ପୁରସ୍କାର, ପେନ୍ ଇଂଲିଶ ଟ୍ରାନ୍ସଲେଟ୍ ଆଓ୍ବାର୍ଡ ଆଦି ପାଇଛନ୍ତି।


