ନୂଆଦିଲ୍ଲୀ,୨୧।୧୦: ଦେଶର ସରକାରୀ ବ୍ୟାଙ୍କଗୁଡ଼ିକ ଯୁବପିଢ଼ିଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଦୀପାବଳି ପୂର୍ୱରୁ ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ତିନୋଟି ନୂଆ ଆର୍ଥିକ ଉତ୍ପାଦ (financial products) ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଏଥିରେ ସଞ୍ଚୟ, ନିବେଶ, ବୀମା ଏବଂ ଋଣ ଭଳି ସୁବିଧା ଉପରେ ଗୁରୁତ୍ୱ ଦିଆଯିବ। ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣଙ୍କ ନିର୍ଦ୍ଦେଶ ପରେ ବ୍ୟାଙ୍କଗୁଡ଼ିକ ଏହି ଦିଗରେ କାର୍ଯ୍ୟ ତ୍ୱରାନୱିତ କରିଛନ୍ତି।
ବ୍ୟାଙ୍କଗୁଡ଼ିକ ଯୁବପିଢ଼ିଙ୍କ ପାଇଁ ଏକ ମିଳିତ ଅନଲାଇନ ପୋର୍ଟାଲ ପ୍ରସ୍ତୁତ କରିବା ଦିଗରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ବ୍ୟାଙ୍କିଙ୍ଗ ସେବା ଏବଂ ଆର୍ଥିକ ସୁଯୋଗ ସମ୍ପର୍କିତ ସୂଚନା ଗୋଟିଏ ସ୍ଥାନରେ ଉପଲବ୍ଧ କରାଇବା। ରିପୋର୍ଟ ଅନୁସାରେ, ଏହି ପୋର୍ଟାଲକୁ ନଭେମ୍ୱର ଶେଷ ସୁଦ୍ଧା ଆରମ୍ଭ କରିବା ପାଇଁ ଯୋଜନା ରହିଛି।
ଏହି ଡିଜିଟାଲ ପ୍ଲାଟଫର୍ମରେ ବ୍ୟାଙ୍କ ଶାଖା ଏବଂ ଏଟିଏମର ସୂଚନା ଦେବା ପାଇଁ ଲୋକେଟର୍ ଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯାଇପାରେ। ଏହା ମାଧ୍ୟମରେ ଯୁବପିଢ଼ି ନିଜ ଆଖପାଖରେ ଥିବା ବ୍ୟାଙ୍କିଙ୍ଗ ସେବା ବିଷୟରେ ସହଜରେ ସୂଚନା ପାଇପାରିବେ।
ସରକାରୀ ବ୍ୟାଙ୍କଗୁଡ଼ିକର ଏହି ପ୍ରସ୍ତାବିତ ଯୋଜନାର ଲକ୍ଷ୍ୟ ହେଉଛି ଯୁବବର୍ଗଙ୍କ ଆବଶ୍ୟକତା ଅନୁଯାୟୀ ବ୍ୟାଙ୍କିଙ୍ଗ ସେବା ଉପଲବ୍ଧ କରାଇବା। ଏହି ଉତ୍ପାଦଗୁଡ଼ିକରେ ସଞ୍ଚୟ ଏବଂ ନିବେଶ ସହ ଜଡ଼ିତ ସୁବିଧା ସହିତ ବୀମା ଓ ଋଣ ସମ୍ୱନ୍ଧୀୟ ବିକଳ୍ପ ମଧ୍ୟ ସାମିଲ ରହିବ। ଏହା ବ୍ୟତୀତ, ଯୁବପିଢ଼ିଙ୍କୁ ଆର୍ଥିକ ଯୋଜନା (financial planning) ପ୍ରସ୍ତୁତ କରିବାରେ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେବା ଉପରେ ମଧ୍ୟ ବିଚାର କରାଯାଉଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, କେତେକ ପ୍ରସ୍ତାବିତ ସୁବିଧା ମଧ୍ୟରେ ମାଗଣା ଡିମାଟ ଆକାଉଣ୍ଟ (Free Demat Account) ଏବଂ ଆର୍ଥିକ ଯୋଜନା ସମ୍ୱନ୍ଧୀୟ କାଉନସେଲିଂ ମଧ୍ୟ ଅନ୍ତର୍ଭୁକ୍ତ ହୋଇପାରେ। ବିଭିନ୍ନ ସରକାରୀ ବ୍ୟାଙ୍କ ନିଜ ତରଫରୁ ଅତିରିକ୍ତ ଲାଭ ଏବଂ ସୁବିଧା ମଧ୍ୟ ଯୋଡ଼ିପାରିବେ।
ଅର୍ଥମନ୍ତ୍ରୀ ବ୍ୟାଙ୍କଗୁଡ଼ିକୁ ଯୁବପିଢ଼ିଙ୍କ ସହ ଏକ ଦୀର୍ଘସ୍ଥାୟୀ ସମ୍ପର୍କ ଗଢ଼ିବା ଦିଗରେ କାର୍ଯ୍ୟ କରିବାକୁ କହିଛନ୍ତି। ଏହା ଅଧୀନରେ କେବଳ ନୂଆ ଖାତା ଖୋଲିବା ବଦଳରେ ସଞ୍ଚୟ, ନିବେଶ ଏବଂ ଦାୟିତ୍ୱପୂର୍ଣ୍ଣ ଋଣ ପରିଚାଳନାର ବୁଝାମଣା ବିକଶିତ କରିବା ଉପରେ ଗୁରୁତ୍ୱ ଦିଆଯିବ।
ଯୁବବର୍ଗଙ୍କୁ ଏକ ଭଲ କ୍ରେଡିଟ ସ୍କୋର୍ (Credit Score) ବଜାୟ ରଖିବା ଏବଂ ଠିକ ସମୟରେ ଅର୍ଥ ପରିଶୋଧ କରିବାର ମହତ୍ତ୍ୱ ବିଷୟରେ ମଧ୍ୟ ସଚେତନ କରାଇବାକୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି। ଏହି ପଦକ୍ଷେପ ଦ୍ୱାରା ଯୁବପିଢ଼ିଙ୍କୁ ନିଜ ଟଙ୍କାର ଉତ୍ତମ ପରିଚାଳନା କରିବା ଏବଂ ଭବିଷ୍ୟତର ଆର୍ଥିକ ଆବଶ୍ୟକତା ପାଇଁ ପ୍ରସ୍ତୁତ ହେବାରେ ସାହାଯ୍ୟ ମିଳିବ ବୋଲି ଆଶା କରାଯାଉଛି।
ଏହି ପଦକ୍ଷେପ ଅଧୀନରେ ୧୬ ବର୍ଷରୁ ଅଧିକ ବୟସର ଯୁବବର୍ଗଙ୍କୁ ବ୍ୟାଙ୍କିଙ୍ଗ ପ୍ରତି ସଚେତନ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ମାସବ୍ୟାପୀ ଅଭିଯାନର ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ଆନୁଷ୍ଠାନିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହ ଯୋଡ଼ିବା। ଭାରତୀୟ ବ୍ୟାଙ୍କ ସଂଘ (IBA) ଏହି ଅଭିଯାନର ସମନୱୟ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି।