Categories: ଖେଳ

ବାମଣ୍ଡା କପ୍‌: ବ୍ରହ୍ମପୁରକୁ ପରାସ୍ତ କରି ସେମିରେ କଟକ

ଦେବଗଡ଼,୨୯।୧୨(ଡି.ଏନ୍‌.ଏ.): ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୨ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ମ୍ୟାଚରେ ବ୍ରହ୍ମପୁରକୁ ପରାସ୍ତ କରି କଟକ ବିଜୟୀ ହୋଇଛି।

ଆଲ୍ଫା ସ୍ପୋର୍ଟିଂ ବ୍ରହ୍ମପୁର ବନାମ ୟୁନିୟନ ସ୍ପୋର୍ଟିଂ କଟକ ମଧ୍ୟରେ ମ୍ୟାଚ ହୋଇଥିଲା। ମ୍ୟାଚରେ କଟକ ଦଳ ବ୍ରହ୍ମପୁରକୁ ୫୮ ରନ୍‌ରେ ପରାସ୍ତ କରି ସେମିଫାଇନାଲକୁ ପ୍ରବେଶ କରିଛି। କଟକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି କରିଥିଲା। କଟକ ବ୍ୟାଟିଂ କରି ୨୦ ଓଭରରେ ୮ଟି ଉଇକେଟ ହରାଇ ୧୪୬ ରନ୍‌ କରିଥିଲା। ଦଳ ପକ୍ଷରୁ ଭ୍ୟଙ୍କତେଶ ଭନ୍ଦେ ୩୫ , ବିନାୟକ ସାହୁ ୨୮, ସତ୍ୟସଞ୍ଜୟ ପଶାୟତ ୨୫ ଓ ସୌରଭ କାନୋଜିଆ ୨୨ ରନ୍‌ କରିଥିବା ବେଳେ ବ୍ରହ୍ମପୁର ଦଳର ତୁଷାର କୁମାର ପାତ୍ର ୩ଟି ଉଇକେଟ ନେଇଥିଲେ। ଜବାବରେ ବ୍ରହ୍ମପୁର ବ୍ୟାଟିଂ କରି ୧୬.୨ ଓଭରରେ ସମସ୍ତ ଉଇକେଟ ହରାଇ ୮୮ ରନ୍‌ କରି ପରାଜିତ ହୋଇଥିଲା। ଦଳ ପକ୍ଷରୁ ଅଧିନାୟକ ଦେବାଶିଷ ମିଶ୍ର ୨୨ରନ୍‌ କରିଥିବା ବେଳେ କଟକର ସୌରଭ କାନୋଜିଆ ୪, ସତ୍ୟଜ୍ୟୋତି ଦଳେଇ ଓ ବାଦଲ ବିଶାଳ ୨ଟି ଲେଖାଏଁ ଉଇକେଟ ନେଇଥିଲେ। ମ୍ୟାଚରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ କଟକର ଭ୍ୟଙ୍କତେଶ ଭନ୍ଦେ ଏବଂ ଶ୍ରେଷ୍ଠ ବୋଲର ଓ ମ୍ୟାନ ଅଫ୍‌ ଦି ମ୍ୟାଚ ଭାବେ ସୌରଭ କାନୋଜିଆଙ୍କୁ ପୁରସ୍କୃତ କରାଯାଇଥିଲା। କ୍ଲବର ଉପସଭାପତି ଅଶୋକ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତାରଣୀ ଉତ୍ସବରେ ବାରକୋଟ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ଦେବଗଡ଼ ଲାଏନ୍ସ କ୍ଲବ ଏମ୍‌ଯେଏଫ ପ୍ରସନ୍ନ ବେହେରା ଓ ଆଡ଼ଭୋକେଟ ତନୁଚନ୍ଦ୍ର ପାତ୍ର ଯୋଗଦେଇ ଉଦ୍‌ବୋଧନ ଦେବା ସହ ପୁରସ୍କାର ବିତରଣ କରିଥିଲେ। କ୍ଲବ ସମ୍ପାଦକ ସୁଜିତ କୁମାର ପ୍ରଧାନ ସ୍ବାଗତ ଭାଷଣ, ଉପସଭାପତି ସତ୍ୟନାରାୟଣ ପାଣି ଅତିଥି ପରିଚୟ ଓ ମୋତିଲାଲ ଶର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ମ୍ୟାଚକୁ ଅମ୍ପାୟାର ସତ୍ୟ ପ୍ରସାଦ ରଥ, ସଞ୍ଜୟ କୁମାର ନାୟକ ଖେଳ ପରିଚାଳନା କରିଥିଲେ।

Share