ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ ସ୍ପୋର୍ଟିଂ ୫ ଉଇକେଟରେ ରାଉରକେଲାର ଏ.ଏସ୍ ଏକାଡେମୀକୁ ପରାସ୍ତକରି ଚାମ୍ପିୟନ ହୋଇଛି।
ଫାଇନାଲରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଉରକେଲା ଦଳ ୧୯.୫ ଓଭରରେ ୧୨୪ ରନ୍କରି ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଉମେଶ ଗୌତମ ୨୮ ଓ ୱାଲ୍ଟର ଟପୋ ୨୩ ରନ୍ କରିଥିବା ବେଳେ କଟକ ଦଳର ବିଶ୍ୱଜିତ୍ ପ୍ରଧାନ ୪ଟି, ତାପସ ରାଉତ ଓ ଶୁଭମ୍ ପ୍ରିୟଦର୍ଶୀ ୨ଟି ଲେଖାଏ ଉଇକେଟ ନେଇଥିଲେ।
ଜବାବରେ କଟକ ଦଳ ୧୭ ଓଭରରେ ୫ ଉଇକେଟ ହରାଇ ୧୩୦ ରନ୍କରି ମ୍ୟାଚ୍ ଜିତିନେଇଥିଲା। ଦଳ ପକ୍ଷରୁ ବିଶ୍ୱଜିତ୍ ପ୍ରଧାନ ସର୍ବାଧିକ ୬୨ ଓ ତାପସ କୁମାର ରାଉତ ୨୯ ରନ୍ କରିଥିଲା ବେଳେ ରାଉରକେଲା ଦଳର ଶିବମ୍ କ୍ରିଷ୍ଣା ଓ ୱାଲ୍ଟର ଟପ୍ପୋ ୨ଟି ଲେଖାଏ ଉଇକେଟ ନେଇଥିଲେ। ଏହି ମ୍ୟାଚ୍କୁ ଅମ୍ପାୟର ସତ୍ୟ ପ୍ରସାଦ ରଥ ଓ ସୌମ୍ୟଦର୍ଶନ ମହାନ୍ତି ପରିଚାଳନା କରିଥିବା ବେଳେ ରୋମି ନାୟକ ଓ ଅମନ ସିଂ ସ୍କୋରର ଦାୟିତ୍ୱ ତୁଲାଇଥିଲେ।
ବେଣୁଧର ଗଡ଼ନାଏକ, ନଗେନ୍ଦ୍ର କୁମାର ନାଥ ଓ ଦିଲୁ ଦସଭାୟା ଧାରା ବିବରଣୀ ପ୍ରଦାନ କରିଥିଲେ। ଚାମ୍ପିୟନ କଟକ ଦଳର ବିଶ୍ୱଜିତ ପ୍ରଧାନଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦି ଟୁର୍ନାମେଣ୍ଟ, କଟକର ଗଣେଶ ତମାରଙ୍କୁ ବେଷ୍ଟ ବୋଲର, କଟକର ରାଜୀବ ଲୋଚନ ସାହୁଙ୍କୁ ବେଷ୍ଟ ବ୍ୟାଟ୍ସମ୍ୟାନ ଓ ରାଉରକେଲା ଦଳର ଦୁଷ୍ମନ୍ତ ସାହୁଙ୍କୁ ବେଷ୍ଟ ଫିଲ୍ଡର ଭାବେ ପୁରସ୍କୃତ କରାଯାଇଥିଲା।
ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଓଡ଼ିଶା କ୍ରିକେଟ ଆସୋସିଏଶନ ସଭାପତି ପଙ୍କଜ ଲୋଚନ ମହାନ୍ତି, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଚାମ୍ପିୟନ ଦଳକୁ ଟ୍ରଫି ସହ ୭୧ ହଜାର ଏବଂ ଉପବିଜେତା ଦଳକୁ ଟ୍ରଫି ସହିତ ୫୧ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା।
ବାମଣ୍ଡା କ୍ରିକେଟ କ୍ଲବ୍ର ସଭାପତି ପ୍ରଣବ ପ୍ରଧାନଙ୍କ ସଭାପତିତ୍ୱ ଏବଂ ଉପସଭାପତି ଅଶୋକ କୁମାର ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ସତ୍ୟନାରାୟଣ ପାଣି ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟତମ ଉପସଭାପତି ସୁଜିତ୍ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପୁରସ୍କାର ପ୍ରଦାନ ଉତ୍ସବରେ ଜିଲା ଭାଜପା ସଭାପତି ଅରୁଣ କୁମାର ସାହୁ, ପୌର ପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ୍ ଭୋଜ, ଉପଦେଷ୍ଟା ନବୀନ କୁମାର ପାଣି ମଞ୍ଚାସୀନ ଥିଲେ।


