ଦୁର୍ନୀତିର ଗନ୍ତାଘର ପାଲଟିଛି ବଲସକୁମ୍ପା ହାଇସ୍କୁଲ

ଖଜୁରିପଡ଼ା,୧୧ା୩: ସମସ୍ତଙ୍କୁ ସ୍ବାକ୍ଷର କରିବା ପାଇଁ ଶିକ୍ଷାର ଆଲୋକ ଦେଖାଇବା ଲାଗି ସରକାର ଶିକ୍ଷକ ନିଯୁକ୍ତି ଦେଉଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ସ୍କୁଲ, କଲେଜ, ଅଙ୍ଗନୱାଡି ନିର୍ମାଣ କରୁଛନ୍ତି। ସ୍କୁଲରେ ଶିକ୍ଷା ବଦଳରେ ପ୍ରଧାନ ଶିକ୍ଷକ କରୁଛନ୍ତି ରାଜନୀତି। ସ୍କୁଲରେ ଚାଲିଛି ଦିନ ଦ୍ୱିପହରେ ଦୁର୍ନୀତି। ଯାହା ସହିବା କଷ୍ଟସାଧ୍ୟ ହେବା ପରେ ପ୍ରଧାନ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲାପାଳ ଏବଂ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ସ୍କୁଲ ଏସ୍‌ଏମ୍‌ସି କମିଟି ଫେରାଦ ହୋଇଛନ୍ତି। ଏହିଭଳି ଘଟଣା ଘଟିଛି ଜିଲାପାଳ କାର୍ଯ୍ୟାଳୟର ଅଳ୍ପ ଦୂରରେ ଥିବା ପ୍ରସିଦ୍ଧ ଦେବୀ ପୀଠ ବଲସକୁମ୍ପା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।
ଅଭିଯୋଗ ଅନୁଯାୟୀ, ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେର ସ୍କୁଲକୁ ଠିକ୍‌ ସମୟରେ ଆସୁନାହାନ୍ତି। ସ୍କୁଲର ମଧ୍ୟାହ୍ନ ଭୋଜନ ଟଙ୍କାକୁ ହରିଲୁଟ କରୁଛନ୍ତି। ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଦେଉନାହାନ୍ତି ଉପଯୁକ୍ତ ଖର୍ଚ୍ଚ ହୋଇଥିବା ଟଙ୍କା। ଖେଳକୁଦ, ସ୍କୁଲ ସାମଗ୍ରୀ କିଣିବା ପାଇଁ ସରକାର ଯୋଗାଉଥିବା ଟଙ୍କାକୁ ମନଇଚ୍ଛା ଖର୍ଚ୍ଚ କରୁଛନ୍ତି। ସ୍କୁଲ କମିଟି ହିସାବ ମାଗିଲେ ସ୍କୁଲ କମିଟିକୁ ନାଲି ଆଖି ଦେଖାଉଛନ୍ତି। ସ୍କୁଲ ଛାତ୍ରୀମାନଙ୍କୁ ଅସଦାଚରଣ ବ୍ୟବହାର କରିବା ସହିତ ଅଶ୍ଳୀଳ କଥାବାର୍ତ୍ତା କରୁଥିବା ସହିତ ସ୍କୁଲରେ ଚାନ୍ଦା ଆଦାୟ କରୁଛନ୍ତି। ନିଶାସକ୍ତ ଅବସ୍ଥାରେ ସ୍କୁଲ ଆସିବା ସହ ନିଶା ଦ୍ରବ୍ୟ ଗାଡ଼ି ଡିକିରେ ରଖୁଥିବା ଆଦି ଅଭିଯୋଗ ହେଉଛି। ଏହିଭଳି ଅନେକ ଦୁର୍ନୀତିରେ ସାମିଲ ଅଛନ୍ତି ପ୍ରଧାନ ଶିକ୍ଷକ ବୋଲି ସ୍କୁଲ କମିଟି ଲିଖିତ ଭାବେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଦେବା ସହିତ ଜିଲା ଶିକ୍ଷାଧିକାରୀଙ୍କୁ ଭେଟି ଅଭିଯୋଗ କରିଛି। ଅନ୍ୟପଟେ ଜିଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଉକ୍ତ ଘଟଣା ତଦନ୍ତ କରି ସାତ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ପରେ ସ୍କୁଲ ଏସ୍‌ଏମ୍‌ସି କମିଟି ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରୁ ଫେରିଛି। ପ୍ରଧାନ ଶିକ୍ଷକ ବିରୋଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଜୋରଦାର ଆନ୍ଦୋଳନ ହେବ ବୋଲି ସ୍କୁଲ କମିଟି ଚେତାବନୀ ଦେଇଛି। ଏ ନେଇ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମେହେରଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି ଯେ, ମୋ ଉପରେ ଲାଗିଥିବା ଦୁର୍ନୀତି ଅଭିଯୋଗ ସବୁ ମିଥ୍ୟା ବୋଲି କହିଛନ୍ତି।