Categories: ଫୁରସତ

ବେଲୁନ୍‌

ରଙ୍ଗ ବିରଙ୍ଗି ବେଲୁନ୍‌ ଛୋଟ ପିଲାଙ୍କର ବହୁତ ପ୍ରିୟ। ତେବେ ଜାଣନ୍ତିକି ରବରର ଏଇ ବେଲୁନ୍‌କୁ କେବେ ଓ କିଏ ଉଦ୍ଭାବନ କରିଥିଲେ? ୧୮୨୪ରେ ମହାନ ବୈଜ୍ଞାନିକ ପ୍ରଫେସର୍‌ ମାଇକେଲ ଫାରାଡେ ଏହାକୁ ଉଦ୍ଭାବନ କରିଥିଲେ। ଏକ ଏକ୍ସପେରିମେଣ୍ଟ ପାଇଁ ସେ ଦୁଇଟି ରାଉଣ୍ଡ ରବର୍‌ ସିଟ୍‌ର ଧାରକୁ ଚାପି ଲଗାଇ ରଖି ବ୍ୟାଗ ତିଆରି କରିଥିଲେ। ଆଉ ତା’ ଭିତରେ ଗ୍ୟାସ ଭର୍ତ୍ତି କରିଥିଲେ। ଗ୍ୟାସ୍‌ ଭର୍ତ୍ତି କରିବାବେଳେ ସେ ଦେଖିଲେ ରବର୍‌ ନମନୀୟ ହୋଇ ଫୁଲିବାକୁ ଲାଗିଲା। ତା’ସହ ତାହା ପତଳା ହେବାକୁ ଲାଗିଲା। ଆଉ ବାୟୁରେ ଭାସିଲା। ଏହାର ୧ ବର୍ଷ ପରେ ଖେଳଣା ବେଲୁନ ତିଆରି ଆରମ୍ଭ ହେଲା। ଯାହାକୁକି ଏବେ ସାଧାରଣତଃ ପାର୍ଟିରେ ବ୍ୟବହାର କରାଯାଉଛି। ରବର୍‌ ଗଛରୁ ମିଳୁଥିବା ଲାଟେକ୍ସରୁ ବେଲୁନ୍‌ ତିଆରି ହୋଇଥାଏ। ଏଥିରେ ସାଧାରଣ ବାୟୁ ଅବା ହିଲିୟମ ଗ୍ୟାସ ଭର୍ତ୍ତି କରାଯାଇଥାଏ। ଲାଟେକ୍ସରେ ତିଆରି ବେଲୁନ ସମ୍ପୂର୍ଣ୍ଣଭାବେ ଇକୋ ଫ୍ରେଣ୍ଡଲି ହୋଇଥାଏ। ଏହାକୁ ତିଆରି କରିବା ଲାଗି ଗଛ କଟାଯାଇ ନ ଥାଏ। ଲାଟେକ୍ସକୁ ଗଛର ଛୋଟ ଛୋଟ ଶାଖାରୁ ସଂଗ୍ରହ କରାଯାଏ। ଫଳରେ ଗଛର କୌଣସି କ୍ଷତି ହୋଇ ନ ଥାଏ। ରବର ଗଛ ସାଧାରଣତଃ ବର୍ଷାବଣରେ ହୋଇଥାଏ। ଗୋଟିଏ ରବର ଗଛ ପ୍ରାୟ ୪୦ ବର୍ଷ ପର୍ଯ୍ୟନ୍ତ ଲାଟେକ୍ସ ଉତ୍ପାଦନ କରିପାରେ। ଥରେ ବେଲୁନରେ ପବନ ଭର୍ତ୍ତି କଲେ ତାହା ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରେ। ହିଲିୟମ ଗ୍ୟାସ ବାଲା ବେଲୁନ୍‌ ବାୟୁରେ ଉଡିପାରେ। କାରଣ ହିଲିୟମ ବାୟୁଠାରୁ ହାଲ୍କା ହୋଇଥାଏ।

Share