ନୂଆ ପିଢ଼ିର ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୮।୬: ଓଡ଼ିଶା ଉପକୂଳରେ ନୂଆ ପିଢ଼ିର ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ବୁଧବାର ସନ୍ଧ୍ୟା ୭.୩୦ରେ ଓଡ଼ିଶା ଉପକୂଳବର୍ତ୍ତୀ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫଳତାର ସହ ପରୀକ୍ଷଣ କରିଛି। ପରୀକ୍ଷଣ ସମୟରେ ଏହି କ୍ଷେପଣାସ୍ତ୍ର ସମସ୍ତ ମାନଦଣ୍ଡ ପୂରଣ କରିଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି, ବିକାଶ ପର୍ଯ୍ୟାୟରେ ଅଗ୍ନି ପ୍ରାଇମର ତିନୋଟି ସଫଳ ପରୀକ୍ଷଣ ପରେ ଏହି କ୍ଷେପଣାସ୍ତ୍ରର ଏହା ପ୍ରଥମ ରାତ୍ରି ପରୀକ୍ଷଣ ଥିଲା, ଯାହାକି ଏହାର ସଠିକତା ଏବଂ ବିଶ୍ୱସନୀୟତା ଉପରେ ମୋହର ଲଗାଇଥିଲା । ଏହି କ୍ଷେପଣାସ୍ତ୍ରର ସମଗ୍ର ଯାତ୍ରାର ତଥ୍ୟ ସଂଗ୍ରହ କରିବା ପାଇଁ ରାଡାର, ଟେଲିମେଟ୍ରି ଏବଂ ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଭଳି ଉପକରଣ ସମେତ ଦୁଇଟି ଜାହାଜକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା ।