ଭୁବନେଶ୍ୱର,୨୬।୧୨: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଦ୍ୱାରା ପ୍ରକାଶିତ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଅନୁସାରେ ଓଡ଼ିଶାର ତିନୋଟି ସହରାଞ୍ଚଳର ବାୟୁକୁ ‘ଅତି ଖରାପ’ (Very Poor) ଶ୍ରେଣୀଭୁକ୍ତ କରାଯାଇଛି।
ସିପିସିବି ତଥ୍ୟ ଅନୁଯାୟୀ, ଓଡ଼ିଶାର ବାଲେଶ୍ୱର, ତାଳଚେର ଏବଂ ବାରିପଦା ସହରରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ନିମ୍ନ ସ୍ତରରେ ରହିଛି।
ବାଲେଶ୍ୱର ଦେଶର ସର୍ବାଧିକ ପ୍ରଦୂଷିତ ସହର ପାଲଟିଛି, ଏଠାରେ AQI ୩୩୮ ରହିଛି। ଏହାପରେ AQI ୩୨୦ ସହିତ ଅନୁଗୁଳ ଜିଲାରେ ତାଳଚେର ସହର ଦେଶର ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ସହର ରହିଛି। ସେହିପରି ମୟୂରଭଞ୍ଜ ଜିଲାର ବାରିପଦାର AQI ମୂଲ୍ୟ ମଧ୍ୟ ‘ଅତି ଖରାପ’ ଶ୍ରେଣୀରେ ରହିଛି।
ଓଡ଼ିଶାର ଏହି ତିନୋଟି ସହର ବ୍ୟତୀତ ପଶ୍ଚିମବଙ୍ଗର ହଳଦିଆ (AQI ୩୧୬), ପଞ୍ଜାବର ରୂପନଗର (AQI ୩୧୧) ଏବଂ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା (AQI ୩୦୩)ର ବାୟୁ ଗୁଣବତ୍ତାକୁ ମଧ୍ୟ ସିପିସିବି ଦ୍ୱାରା ‘ଅତି ଖରାପ’ ଭାବରେ ବର୍ଗୀକୃତ କରାଯାଇଛି।
ବିଶେଷଜ୍ଞଙ୍କ ମତରେ, ଦୀର୍ଘ ସମୟ ଧରି ଏହିପରି ଅତି ଖରାପ ବାୟୁର ସଂସ୍ପର୍ଶରେ ଆସିଲେ ଲୋକଙ୍କ ଠାରେ ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି।


