ଭୁବନେଶ୍ୱର,୨୦।୭: ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ନ ଲିଭୁଣୁ ବଳଙ୍ଗା ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାରେ ଅଛି। ଶନିବାର ଏକ ଯୁବତୀଙ୍କୁ ଜାଳିଦେବାକୁ ଉଦ୍ୟମ କରିଥିଲେ ଦୁର୍ବୃତ୍ତ। ଯୁବତୀ ଜଣଙ୍କ ୭୫ ପ୍ରତିଶତ ପୋଡିଯାଇଥିବା ସୂଚନା ରହିଛି। ପୀଡିତା ଭୁବନେଶ୍ବର AIIMSରେ ଚିକିତ୍ସିତ ଥିବା ବେଳେ ଉନ୍ନତ ଚିକିତ୍ସା ପାଇଁ ଏବେ ତାଙ୍କୁ ଦିଲ୍ଲୀ AIIMS ନିଆଯାଉଛି। ପୀଡ଼ିତାଙ୍କ ସହ ଯାଉଛନ୍ତି ପରିବାର ଲୋକ।
ଅନ୍ୟପଟେ ଘଟଣାରେ ୮ ଜଣଙ୍କୁ ଥାନାକୁ ନେଇ ପୁଣି ପଚରାଉଚରା କରିଛି ପୋଲିସ। ଗତକାଲି ୮ ଜଣଙ୍କୁ ପଚରାଉଚରା କରି ଛାଡ଼ିଥିଲେ, ଆଜି ପୁଣି ଜେରା। ୮ ଜଣଙ୍କ ଭିତରେ ପୀଡ଼ିତାଙ୍କର କିଛି ସମ୍ପର୍କୀୟ ଥିବା ସୂଚନା ମିଳିଛି। ପୋଲିସ କାହାକୁ ଧରି ପାରି ନଥିବାରୁ ଉତ୍ତେଜନା ସ୍ଥିତି ହୋଇଛି। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସିସିଟିଭିକୁ ନେଇ ତନାଘନା ଚଳାଇଛି ପୋଲିସ। ହେଲେ ଏଯାଏ କିଛି ସୁରାକ ମିଳିପାରିନାହିଁ। ସିସିଟିଭିରେ ୩ ଜଣ ଦୁର୍ବୃତ୍ତ କୌଣସି ସ୍ଥାନରେ ଦେଖାଯାଉନାହାନ୍ତି। କିଛି ପ୍ରମାଣ ମିଳୁନଥିବା ବେଳେ ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଏ ଭିଆଇଲା ଏମିତି କାଣ୍ଡ? ଏହା ଏକ ସୁକଳ୍ପିତ ଷଡଯନ୍ତ୍ର ନା ପ୍ରତିଶୋଧ ନା ପ୍ରେମ ସମ୍ପର୍କ? ଏଯାଏ ସ୍ପଷ୍ଟ ସୂଚନା ପୋଲିସ ହାତରେ ଲାଗିପାରିନାହିଁ। ଅନ୍ୟପଟେ, ଘଟଣାସ୍ଥଳରୁ ମିଳିଥିବା କିରୋସିନୀ ବୋତଲ ଯେଉଁ କମ୍ପାନୀର, ସମାନ କମ୍ପାନୀର ବୋତଲ ପୀଡିତାଙ୍କ ଘରେ ଥିବା ସୂଚନା ମିଳିଛି। ଏହା ସହିତ ଯୁବତୀଙ୍କୁ ପୋଡି ମାରିବା ପାଇଁ ସେମିତି କୌଣସି କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଏପରିକି ତାଙ୍କ ପରିବାର ସହ କାହାର ବିବାଦ ନଥିବା ପରିବାର ଲୋକେ କହିଛନ୍ତି।


