ବୈତରଣୀ ଜଳସ୍ତର ବୃଦ୍ଧି

ଭଣ୍ଡାରିପୋଖରୀ,୧୫ା୮: ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ବୈତରଣୀର ଜଳସ୍ତର ଆଖୁଆପଦା ଆନିକଟଠାରେ ଶନିବାର ସକାଳ ୯ଟାରୁ ବୃଦ୍ଧି ପାଇବା ଆରମ୍ଭ କରିଛି। ଆନିକଟଠାରେ ବୈତରଣୀ ବିପଦ ସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ବନ୍ୟାଜଳ ଅପରାହ୍ନ ୨ଟାରେ ୧୭.୧୬ ମିଟର ରେ ପ୍ରବାହିତ ହେଉଛି। ଉପରମୁଣ୍ଡରେ ହୋଇଥିବା ବର୍ଷା ରେକର୍ଡ ଅନୁଯାୟୀ, ଆଖୁଆପଦା ୨୦୮ ମିମି, ଆନନ୍ଦପୁର ୧୦୩ ମିମି, କେନ୍ଦୁଝର ୪୪.୮ ମିମି , ସୋମପାଟଣା ୩୨.୮ ମିମି, ଠାକୁରମୁଣ୍ଡା ୭.୦ ମିମି, ଚମ୍ପୁଆ ୩୯.୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବନ୍ୟାଜଳ ଶନିବାର ସକାଳ ୯ ଟାରେ ୧୭.୦୭ ମିଟର,୧୦ ଟା ରେ ୧୭.୦୮ ମିଟର,୧୧ ଟା ରେ ୧୭.୧୦ ମିଟର, ୧୨ ଟା ରେ ୧୭.୧୨ ମିଟର, ୧ଟାରେ ୧୭.୧୪ ମିଟର, ୨ ଟାରେ ୧୭.୧୬ରେ ପ୍ରବାହିତ ହେଉଛି। ତେବେ ବନ୍ୟା ଜଳ କେତେ ପରିମାଣ ହେବ ସନ୍ଧ୍ୟା ସୁଦ୍ଧା ଜଣାପଡ଼ିବ ବୋଲି ଆଖୁଆପଦା ବନ୍ୟା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।