ଭଦ୍ରକ, ୩୧।୭(ସନାତନ ରାଉତ): ବୈତରଣୀ ବନ୍ୟା ଜଳ ଦୁଇ ଦିନ ତଳେ ହ୍ରାସ ପାଇଥିବାବେଳେ ଗୁରୁବାର ସକାଳୁ ପୁଣି ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି l ସକାଳୁ ଭଦ୍ରକ ଜିଲା ଆଖୁଆପଦା ଆନିକଟ ନିକଟରେ ବୈତରଣୀ ଜଳ ସ୍ତର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି l ସତର୍କ ସଙ୍କେତ ୧୭. ୮୩ ମିଟର ଥିବା ବେଳେ ଏବେ ୧୮. ୧୨ ମିଟର ଜଳ ସ୍ତର ରହିଛି l ଜଳ ସ୍ତର ବୃଦ୍ଧି ହେଲେ ଚାନ୍ଦବାଲି ଓ ଧାମନଗର ବ୍ଲକରେ ଦିତୀୟ ବନ୍ୟା ଆଶଙ୍କା ରହିଛି l ବିପଦ ସଙ୍କେତ ୧୮. ୩୩ ମିଟର ଥିବା ବେଳେ ଦିନ ୧୨ ଟା ସୁଦ୍ଧା ବନ୍ୟା ପରିସ୍ଥିତି ଜଣା ପଡିବ l ନଦୀ ଉପର ମୁଣ୍ଡ କେନ୍ଦୁଝର ଜିଲାର ଚମ୍ପୁଆ ଓ ଆନନ୍ଦପୁର ଅଞ୍ଚଳରେ ବୁଧବାର ପ୍ରବଳ ବର୍ଷା ହୋଇଥିବାରୁ ଜଳସ୍ତର ବଢିଛି l
ସେହିପରି ଭଦ୍ରକ ଜିଲାରେ ମଧ୍ୟ ଗୁରୁବାର ୧୫୯ ମିଲିମିଟର ବର୍ଷା ହୋଇଛି l ଦୁଇ ଦିନ ତଳେ ବୈତରଣୀର ପ୍ରଥମ ବନ୍ୟା ହୋଇଥିବା ବେଳେ ପୁଣି ଜଳସ୍ତର ବଢିବା ନଦୀକୁଳିଆ ବାସୀଙ୍କ ମନରେ ଭୟ ସୃଷ୍ଟି କରିଛିl ଅପରପକ୍ଷେ ଜିଲାପାଳ ଦିଲ୍ଲୀପ ରାଉତରାଏ କହିଛନ୍ତି ବନ୍ୟାର ଭୟ ନାହିଁ l ଜିଲା ପ୍ରଶାସନ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛି l


