Categories: ବାଣିଜ୍ୟ

ବ୍ଲକ୍‌ ହେଲା ଚାଇନାର ବାଇଡୁ, ଓ୍ବିବୁ ଆପ୍‌

ନୂଆଦିଲ୍ଲୀ,୫।୮: ସୀମାରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ୫୯ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪୭ ମୋବାଇଲ ଆପ୍ଲିକେଶନକୁ ସରକାର ବ୍ଲକ କରି ଦେଇଛନ୍ତି। ବର୍ତ୍ତମାନ ଚାଇନାର ୨ ଲୋକପ୍ରିୟ ଆପ୍‌ ବାଇଡୁ ଏବଂ ଓ୍ବିବୁକୁ ବ୍ଲକ୍‌ କରାଯାଇଥିବା ମଙ୍ଗଳବାର ଜଣାପଡିଛି। ବାଇଡୁ ଗୁଗଲର ବିକଳ୍ପ ହୋଇଥିବା ବେଳେ ଓ୍ବିବୁ ଟୁଇଟରର ବିକଳ୍ପ ଭାବେ କାମ କରୁଥିଲା। ସିନା କର୍ପୋରେଶନ ଦ୍ୱାରା ୨୦୦୯ରେ ଓ୍ବିବୁର ଲଞ୍ଚ କରାଯାଇଥିଲା। ସାରା ବିଶ୍ୱରେ ବର୍ତ୍ତମାନ ଏହାର ୫୦ କୋଟି ପଞ୍ଜୀକୃତ ୟୁଜର ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଆପ୍ଲିକେଶନକୁ ବ୍ୟବହାର କରିଥିଲେ। ୨୦୧୫ରେ ସେ ଏଥିରେ ଏକ ଆକାଉଣ୍ଟ ଖୋଲିଥିଲେ। ମୋଦିଙ୍କର ଏଥିରେ ୨ ଲକ୍ଷ ଫଲୋଅର ମଧ୍ୟ ଅଛନ୍ତି। ସେହିଭଳି ବାଇଡୁ ଭାରତରେ ଏହାର ସ୍ଥିତିକୁ ମଜଭୁତ କରିବା ଲାଗି ଯୋଜନା ରଖିଥିଲା। ଚଳିତ ବର୍ଷ ଜାନୁୟାରୀରେ ଏହାର ସିଇଓ ରବିନ ଲି ଆଇଆଇଟି ମାଡ୍ରାସ ଗସ୍ତ କରିଥିଲେ ବୋଲି ଜଣାପଡିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମୋବାଇଲ କମ୍ପ୍ୟୁଟିଂ କ୍ଷେତ୍ରରେ ଭାରତ ସହ ମିଳିତ ହୋଇ କାମ କରିବାକୁ ଲି ମତ ରଖିଥିଲେ। ଏହି ଆପ୍‌ଗୁଡିକୁ ହଟାଇବା ଲାଗି ଗୁଗଲ ଏବଂ ଆପଲ ଆପ୍‌ ଷ୍ଟୋର ସମେତ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡରଙ୍କୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଟିକ୍‌ଟକ୍‌, ୟୁସି ବ୍ରାଉଜର, ହେଲୋ, ଲାଇକି, ଶେୟାର ଇଟ୍‌, ଏମ୍‌ଆଇ କମ୍ୟୁନିଟି, ଓ୍ବିଚାଟ୍‌,କ୍ୟାମ ସ୍ମାନର ଭଳି ଆପ୍‌କୁ ବ୍ଲକ୍‌ କରାଯାଇଛି। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ସରକାର ଅନ୍ୟ କିଛି କ୍ଲୋନି ଆପ୍‌ ଟିକ୍‌ଟକ୍‌ ଲାଇଟ, ଲାଇକି ଲାଇଟ୍‌, ବିଗୋ ଲାଇଭ ଲାଇଟ୍‌, ଶେୟାର ଇଟ୍‌ ଲାଇଟ, କ୍ୟାମ୍‌ ସ୍ନାନର ଏଚ୍‌ଡି ଭଳି ବ୍ଲକ ମଧ୍ୟ କରାଯାଇଛି। ଦେଶର ସାର୍ବଭୌମତ୍ୱ, ନିରାପତ୍ତା ଏବଂ ସଂହତି ବିପନ୍ନ କରୁଥିବା ଆଶଙ୍କା କରି ସରକାର ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Share