Categories: ଖେଳ

ଆଇନଗତ ପଦକ୍ଷେପ ନେଇପାରନ୍ତି ଭୂତିଆ

କୋଲ୍‌କାତା, ୨୦ା୯: ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଭାରତର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆଙ୍କ ଅନୁରୋଧକୁ ଟାଳି ଦେଇଥିବାରୁ ସେ ହୁଏତ ଆଇନଗତ ପଦକ୍ଷେପ ନେଇପାରନ୍ତି। ଏଠାରେ ସୋମବାର ଅନୁଷ୍ଠିତ ଏଆଇଏଫ୍‌ଏଫ୍‌ର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ସାଧାରଣ ସମ୍ପାଦକ ପଦବୀରେ ଶାଜି ପ୍ରଭାକରନଙ୍କୁ କାହିଁକି ନିଯୁକ୍ତି ଦିଆଗଲା ସେ ପ୍ରସଙ୍ଗରେ ଆଲୋଚନା କରିବାକୁ ସେ ଅନୁରୋଧ କରିଥିଲେ। ପ୍ରଭାକରନ ଫୁଟ୍‌ବଲ ଦିଲ୍ଲୀର ଜଣେ ପ୍ରତିନିଧି ଭାବେ ଇଲେକ୍ଟୋରାଲ କଲେଜର ଜଣେ ସଦସ୍ୟ ଅଟନ୍ତି। ସେପ୍ଟେମ୍ବର ୨ରେ ସଭାପତି ପଦବୀ ପାଇଁ ହୋଇଥିବା ନିର୍ବାଚନରେ ଭାରତର ପୂର୍ବତନ ଗୋଲ୍‌କିପର କଲ୍ୟାଣ ଚୌବେ ଭୂତିଆଙ୍କୁ ୩୩୧ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ନିର୍ବାଚିତ ହେବା ପରେ ପ୍ରଭାକରନଙ୍କୁ ଏଆଇଏଫ୍‌ଏଫ୍‌ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଥିଲା। ଭୂତିଆ କହିିଛନ୍ତି ଯେ, ଜଣେ ଭୋଟରଙ୍କୁ ମହାସଂଘର ଏକ ବେତନପ୍ରାପ୍ତ ପଦବୀରେ ନିଯୁକ୍ତି ଦିଆଯିବା ଯଥାର୍ଥ ନୁହେଁ। ଏହା ପଛରେ କିଛି ମୁଲ୍‌ଚାଲ ହୋଇଥିବା ତାଙ୍କର ସନ୍ଦେହ ହେଉଛି। ଏ ବିଷୟ ଏଠାରେ ସୋମବାର ଅନୁଷ୍ଠିତ କାର୍ଯ୍ୟନିର୍ବାହୀ କମିଟି ବୈଠକର ଏଜେଣ୍ଡାରେ ସାମିଲ କରିବା ଲାଗି ଭୂତିଆ ୨/୩ ଦିନ ପୂର୍ବରୁ ଏଆଇଏଫ୍‌ଏଫ୍‌କୁ ଅନୁରୋଧ କରିଥିଲେ। ମାତ୍ର ବୈଠକରେ ଏହି ପ୍ରସଙ୍ଗ ଆଦୌ ଉଠାଗଲାନାହିଁ, ଯାହା ତାଙ୍କୁ ନିରାଶ କରିଛି। ସେ ତାଙ୍କ ହିତାକାଂକ୍ଷୀମାନଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଭୂତିଆ କହିଛନ୍ତି। ୨୦୧୧ରେ ଅବସର ନେବା ପୂର୍ବରୁ ଭୂତିଆ ଭାରତୀୟ ଫୁଟ୍‌ବଲର ଜଣେ ‘ପୋଷ୍ଟର ବୟ’ ରୂପେ ପରିଚିତ ଥିଲେ। ସେ କହିଛନ୍ତି, ଏଆଇଏଫ୍‌ଏଫ୍‌ ନିର୍ବାଚନରେ ପ୍ରଭାକରନ କେବଳ ଜଣେ ଭୋଟର ନ ଥିଲେ, ସେ କଲ୍ୟାଣ ଚୌବେଙ୍କ ପାଇଁ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କୁ ବେତନପ୍ରାପ୍ତ ପଦବୀରେ ନିଯୁକ୍ତି ଦିଆଯିବା ଏକ ଖରାପ ଉଦାହରଣ ସୃଷ୍ଟି କରିଛି। ପ୍ରଭାକରନଙ୍କୁ ଯଦି କୌଣସି ଅବୈତନିକ ପଦବୀରେ ନିଯୁକ୍ତି ଦିଆଯାଇଥାନ୍ତା ତେବେ ତାଙ୍କର କୌଣସି ଆପତ୍ତି ନ ଥିଲା। ଭୂତିଆ ଆହୁରି ମଧ୍ୟ ଏଆଇଏଫ୍‌ଏଫ୍‌ର ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଦଳକୁ ବାର୍ସିଲୋନା ପଠାଇବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି। ଏଥିରୁ ଖେଳାଳିମାନେ ଉପକୃତ ହେବେ ନାହିଁ ବୋଲି ସେ କହିଛନ୍ତି।

Share