ମାସକର ଶିଶୁକନ୍ୟାକୁ ଚେଙ୍କ, ଡାକ୍ତରଖାନାରେ ଭର୍ତ୍ତି

ବାରିପଦା ଅଫିସ,୨୬ା୯: ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ମାତ୍ର ଲୋକେ ଆଜି ବି ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛନ୍ତି। ଫଳରେ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲାର ଉଦଳା ଅଞ୍ଚଳରେ। ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଟିକରପଡ଼ା ଗ୍ରାମର ଜଣେ ମହିଳା ତାଙ୍କ ଶିଶୁକନ୍ୟାଙ୍କୁ ଚେଙ୍କ ଦେବାରୁ ସେ ଗୁରୁତର ହୋଇପଡ଼ିଛି। ଫଳରେ ଶିଶୁକନ୍ୟାକୁ ଶନିବାର ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ା
ସୂଚନାଯୋଗ୍ୟ, ବୁଧବାର ଶିଶୁକନ୍ୟାର ପେଟବଥା ଦୂର କରିବା ପାଇଁ ଶିଶୁକନ୍ୟାର ମାମୁ ମା’ଙ୍କ ପରାମର୍ଶ ନେଇ ପେଟରେ ଚେଙ୍କ ଦେଇଥିଲେ ା ଫଳରେ ସେ ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତାକୁ ଆଜି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ା ଶିଶୁରୋଗ ବିଶେଷଜ୍ଞ ଲକ୍ଷ୍ମୀକାନ୍ତ ପତି କୁହନ୍ତି, ଅନ୍ଧବିଶ୍ୱାସ ଦୂର ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନ କରାଯାଉଛି। ତଥାପି କିଛି ଲୋକେ ଏହାକୁ ଜାବୁଡ଼ି ଧରିଥିବାରୁ ଏପରି ଦୁର୍ଦ୍ଦଶା ଭୋଗୁଛନ୍ତି। ଶିଶୁକନ୍ୟାର ସ୍ବାସ୍ଥ୍ୟ ଠିକ୍‌ ରହିଛି ା