ବର୍ଷାଦିନେ ଶିଶୁର ଯତ୍ନ

ବର୍ଷାଦିନେ ପାଣି ଏବଂ ଥଣ୍ଡା ପାଗ ସଭିଙ୍କ ପାଇଁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜିଥାଏ। ହେଲେ ଏଥିରେ ସବୁଠୁ ଅଧିକ ପ୍ରଭାବିତ ହୋଇଥାନ୍ତି ଶିଶୁମାନେ। ତେଣୁ ଏହିଦିନେ ଶିଶୁଙ୍କ ସ୍ବାସ୍ଥ୍ୟର ଯତ୍ନ କିପରି ନେବେ ସେ ସମ୍ପର୍କରେ ଜାଣିରଖନ୍ତୁ…

ପରିଚ୍ଛନ୍ନତା ଉପରେ ଦିଅନ୍ତୁ ଗୁରୁତ୍ୱ: ବର୍ଷାଦିନେ ସାଧାରଣତଃ ଚାରିଆଡ଼େ ପାଣି ଅପରିଷ୍କାର ଥାଏ, ଯାହା ସଂସ୍ପର୍ଶରେ ଆସିଲେ ପିଲାଙ୍କ ଦେହରେ ଫଙ୍ଗାଲ୍‌ ଓ ରିଙ୍ଗଓ୍ବର୍ମ ଇନ୍‌ଫେକ୍ସନର ଆଶଙ୍କା ଅଧିକ। ଏହା ମଧ୍ୟ ପୋଷା ଜୀବଜନ୍ତୁଙ୍କ ଯୋଗୁ ହୋଇପାରେ। ତେଣୁ ପିଲାଙ୍କୁ ଜୀବଜନ୍ତୁଙ୍କଠାରୁ ଦୂରେଇ ରଖନ୍ତୁ। ସେମାନଙ୍କ ପୋଷାକ ଆଣ୍ଟିସେପ୍ଟିକ୍‌ କିମ୍ବା ମେଡିକେଟେଡ୍‌ ସଲ୍ୟୁଶନ୍‌ରେ ସଫା କରନ୍ତୁ। ସେମାନଙ୍କ ଶରୀରକୁ ଓଦା ହେବାକୁ ଦିଅନ୍ତୁ ନାହିଁ। ସର୍ବଦା ସଫା ଏବଂ ଶୁଖିଲା ରଖନ୍ତୁ। ପିଲାଙ୍କ ପୋଷାକକୁ ପ୍ରତିଦିନ କିଛି ସମୟ ଖରା ଦେବାକୁ ଭୁଲନ୍ତୁ ନାହିଁ। ନରମ ଏବଂ ଆରାମଦାୟକ ପୋଷାକ ପିନ୍ଧାନ୍ତୁ।
– ଯଦି ଶରୀରରେ କୌଣସି ସ୍ଥାନରେ କୁଣ୍ଡାଇହେବା କିମ୍ବା ଲାଲ୍‌ ଦାଗ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ନଖ ଏବଂ କେଶ କାଟନ୍ତୁ: ପିଲାଙ୍କ ନଖ ବଡ଼ ହେବା ମାତ୍ରେ କାଟିଦିଅନ୍ତୁ। ସେମାନଙ୍କ ହାତ ବାରମ୍ବାର ଓଦା ହେବାକୁ ଦିଅନ୍ତୁ ନାହିଁ। ନଚେତ୍‌ ଏହାଦ୍ୱାରା ମଧ୍ୟ ଇନ୍‌ଫେକ୍ସନ୍‌ର ଆଶଙ୍କା ରହିଛି।
– ଯଦି କିଛି ତ୍ୱଚା ସମ୍ବନ୍ଧିତ ଅସୁବିଧା ଯଥା କୁଣ୍ଡେଇ ହେବା, ଫଳିଯିବା, ଲାଲ୍‌ ପଡ଼ିବା ଆଦି ଦେଖନ୍ତି ତେବେ କିଛି ନିମ୍ବପତ୍ରକୁ ବାଟି ଉକ୍ତ ସ୍ଥାନରେ ଲଗାନ୍ତୁ। ଏହି ପ୍ରାକୃତିକ ଉପାୟ ପିଲାଙ୍କ ତ୍ୱଚା ସମସ୍ୟା ସହଜରେ ଦୂର କରିଥାଏ।
– ଏହିଦିନେ କେତେକ ପିଲାଙ୍କର ଘିମିରି ସମସ୍ୟା ବି ଦେଖାଦେଇଥାଏ। ଯଦି ଆପଣଙ୍କ ପିଲା ଦେହରେ ଘିମିରି ହୋଇଛି ତେବେ ଗୋଲାପ ଜଳରେ ଅଳ୍ପ ଚନ୍ଦନ ଘୋରି ଲଗାନ୍ତୁ। ୧୫-୨୦ମିନିଟ୍‌ ରଖିବା ପରେ ପାଣିରେ ଭଲ ଭାବେ ଧୋଇ ପିଲାକୁ ପୋଛି ଦିଅନ୍ତୁ।
– ପିଲାଙ୍କ ଦେହରେ ଅଧିକ ଝାଳ ହେଉଥିଲେ ଭଲ ଭାବେ ପୋଛି ଦିଅନ୍ତୁ।
ନିୟମିତ ଗାଧେଇ ଦିଅନ୍ତୁ: ଥଣ୍ଡା ଧରିବା ଡରରେ ଅନେକେ ଏହିଦିନେ ପିଲାଙ୍କୁ ଆଦୌ ଗାଧୋଇ ଦିଅନ୍ତି ନାହିଁ। ହେଲେ ଏପରି କରିବା ଠିକ୍‌ ନୁହେଁ। ବରଂ ପିଲାଙ୍କୁ ସଫା, ଜୀବାଣୁମୁକ୍ତ, ନୀରୋଗ ରଖିବା ଲାଗି ଆବଶ୍ୟକ ମାତ୍ରାରେ ଥଣ୍ଡା ପରିବର୍ତ୍ତେ ନଖଉଷୁମ ପାଣିରେ ଗାଧୋଇ ଦିଅନ୍ତୁ।
ପ୍ରାକୃତିକ ଉପାୟରେ ବଢ଼ାନ୍ତୁ ରୋଗ ପ୍ରତିରୋଧକ ଶକ୍ତି: ପିଲାମାନଙ୍କୁ ପ୍ରତିଦିନ କିଛି ଯୋଗ ଓ ବ୍ୟାୟାମ କରିବାକୁ କୁହନ୍ତୁ। ଏହାଦ୍ୱାରା ପିଲାଙ୍କର ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ବ୍ୟତୀତ ପିଲାଙ୍କୁ ଘରେ ପ୍ରସ୍ତୁତ ଖାଦ୍ୟ ଦିଅନ୍ତୁ। କାଢ଼ା କିମ୍ବା ଉଷୁମ କ୍ଷୀରରେ ହଳଦୀ ମିଶାଇ ପିଇବାକୁ ଦିଅନ୍ତୁ। ଏଭଳି ବିଭିନ୍ନ ଅଭ୍ୟାସ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।