ସ୍ବାଧୀନତାର ଅମୃତ ମହୋତ୍ସବରେ ତ୍ରିରଙ୍ଗା ଯାତ୍ରା

ପାଟଣା,୧୩।୮(ସ୍ବ.ପ୍ର.): ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଶନିବାର କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବରସତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀଛାତ୍ରମାନେ ରାଜରାସ୍ତାରେ ବ୍ଲକ ଛକ ଉପରେ ଦେଶପ୍ରେମ ସମ୍ବଳିତ ରଙ୍ଗାରଙ୍ଗ ନୃତ୍ୟଗୀତ ପରିବେଷଣ କରିଛନ୍ତି, ଯାହାକି ପଥଚାରୀଙ୍କୁ ଦେଶପ୍ରମରେ ବାନ୍ଧି ରଖିଥିଲା। ମହାବିଦ୍ୟାଳୟର ଏନ୍‌ସିସି ଛାତ୍ରୀଛାତ୍ର ସୈନିକ ଭୂମିକାରେ ଅଭିନୟ କରିଥିବା ବେଳେ ଶିଶୁମନ୍ଦିର ଛାତ୍ରୀଛାତ୍ରମାନେ ଭାରତ ମାତା ଭୂମିକାରେ ଅଭିନୟ କରିଥିଲେ। କାର୍ଯ୍ୟକ୍ରମ ଆଞ୍ଚଳିକ ମହାବିଦ୍ୟାଳୟର ଅଧ୍ୟକ୍ଷ ବୀରେନ୍ଦ୍ର କୁମାର ସାହୁ, ମହାବିଦ୍ୟାଳୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଧର୍ମେନ୍ଦ୍ର କୁମାର ସାହୁ, ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ଓ ହୀରା ଲାଲ ମହାନ୍ତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା। ଛାତ୍ରୀଛାତ୍ରମାନେ ବିଦ୍ୟାଳୟରୁ ତ୍ରିରଙ୍ଗା ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ। ବ୍ଲକ ଛକରେ ଦେଶପ୍ରେମ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ଜଗନ୍ନାଥ ମହାନ୍ତ, ପୂର୍ଣ୍ଣଚନ୍ଦ୍ର ଦାଶ, ହଳଧର ସାହୁ, ଗୁରୁମା’ ଶୋଭାଶ୍ରୀ କର, ରେବତୀ ତ୍ରିପାଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ।