ସଚେତନତା ସବୁଠାରୁ ବଡ କଥା

”ଏହି ଦିବସ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ଆଲଜିମର୍ସକୁ ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ସାଧାରଣ ଲୋକମାନେ କିପରି ଏହି ରୋଗର କାରଣ ସମ୍ପର୍କରେ ଭଲଭାବରେ ଅବଗତ ହେବେ ତାହା ଉପରେ ଗୁରୁତ୍ୱ ଦିଆଯାଏ। ଏହି ଅବସରରେ ସରକାରୀ ଏବଂ ବେସରକାରୀ ସଂସ୍ଥା ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ବିଶ୍ୱ ଆଲଜିମର୍ସ ଦିବସ ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷିତ ସ୍ଲୋଗାନଟି ହେଲା ‘ଲେଟ୍‌ସ ଟକ୍‌ ଏବାଉଟ ଡିମେନଣ୍ଟିଆ’…

ପ୍ରତିବର୍ଷ ସେପ୍ଟେମ୍ବର ୨୧ ତାରିଖକୁ ବିଶ୍ୱ ଆଲଜିମର୍ସ ଦିବସ ଭାବରେ ପାଳନ କରାଯାଇ ଆସୁଅଛି। ଆଲଜିମର୍ସ ହେଉଛି ଏକ ବୟସଜନିତ ସମସ୍ୟା। ସାଧାରଣତଃ ବୟସ ବୃଦ୍ଧି ହେଲେ ସେହି ଅନୁସାରେ ଶାରୀରିକ ପ୍ରକ୍ରିୟାରେ ଭିନ୍ନତା ପରିଲକ୍ଷିତ ହୋଇଥାଏ। ଏହାଦ୍ୱାରା ବୟସ୍କ ବ୍ୟକ୍ତିଙ୍କର ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟଧାରା ମଧ୍ୟ ପ୍ରଭାବିତ ହୁଏ। ତେଣୁ ବୟସ ବଢ଼ିବା ସହ ନିଜ ଶରୀର ପ୍ରତି ଅଧିକ ଯତ୍ନବାନ ହେବାକୁ ପଡିଥାଏ। ଆଲଜିମର୍ସ ସମସ୍ୟା ଦେଖାଦେଲେ ତାହାଦ୍ୱାରା ମସ୍ତିଷ୍କ ପ୍ରଭାବିତ ହୋଇଥାଏ। ଏହାଦ୍ୱାରା ମସ୍ତିଷ୍କରେ ଥିବା କୋଷଗୁଡିକର କାର୍ଯ୍ୟ ବାଧାପ୍ରାପ୍ତ ହୁଏ, ଯାହାର ପ୍ରଭାବ ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟବହାର ଉପରେ ପଡିଥାଏ। ସେହି ବ୍ୟକ୍ତି ଅନେକ କଥାକୁ ଭୁଲିଯାଇଥାଆନ୍ତି, ଯାହାକୁ ‘ଡିମେନଣ୍ଟିଆ’ ମଧ୍ୟ କୁହାଯାଏ। ଆଲଜିମର୍ସ ରୋଗର କାରଣ ଜଣାପଡିଲେ ବିଳମ୍ବ ନ କରି ତାହାର ଚିକିତ୍ସା କରାଇନେବା ଆବଶ୍ୟକ। ଯଦି ଏଥିରେ ଅବହେଳା କରାଯାଏ ତେବେ ତାହା ଭବିଷ୍ୟତରେ ପାରାଲିସିସ ବା ପକ୍ଷାଘାତ ପରି ଜଟିଳ ଶାରୀରିକ ସମସ୍ୟା ସୃଷ୍ଟି କରିବା ଯଥେଷ୍ଟ ଆଶଙ୍କା ରହିଛି।
ଏହି ଦିବସ ପାଳନ ଅବସରରେ ଜନସାଧାରଣଙ୍କ ମଧ୍ୟରେ ଆଲଜିମର୍ସକୁ ନେଇ ସଚେତନତା ସୃଷ୍ଟି କରାଯାଇଥାଏ। ସାଧାରଣ ଲୋକମାନେ କିପରି ଏହି ରୋଗର କାରଣ ସମ୍ପର୍କରେ ଭଲଭାବରେ ଅବଗତ ହେବେ ତାହା ଉପରେ ଗୁରୁତ୍ୱ ଦିଆଯାଏ। ଏହି ଅବସରରେ ସରକାରୀ ଏବଂ ବେସରକାରୀ ସଂସ୍ଥା ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ବିଶ୍ୱ ଆଲଜିମର୍ସ ଦିବସ ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଘୋଷିତ ସ୍ଲୋଗାନଟି ହେଲା ‘ଲେଟ୍‌ସ ଟକ୍‌ ଏବାଉଟ ଡିମେନଣ୍ଟିଆ’। ଅର୍ଥାତ୍‌ ଏହି ରୋଗ ବିଷୟରେ ଆମେ ଯେତେ ଆଲୋଚନା କରିବା ସେ ସମ୍ପର୍କରେ ଲୋକମାନେ ସେତେ ସତେଚନ ହେବେ। କାରଣ କୌଣସି ରୋଗ ସମ୍ପର୍କରେ ଆମେ ନିଜକୁ ସଚେତନ କରାଇବା ହେଉଛି ବଡ କଥା। ବୟସ ବଢ଼ିଲେ ନିୟମିତ ସମୟ ଅନ୍ତରାଳରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବା ଆବଶ୍ୟକ। ବିଶେଷଭାବରେ ଏହି ସମୟରେ ସ୍ନାୟୁଜନିତ ସମସ୍ୟା ଦେଖାଯିବାର ଆଶଙ୍କା ରହିଛି। ତେଣୁ ବୟସ୍କ ବ୍ୟକ୍ତିମାନେ ନିଜର ରୁଟିନ୍‌ ଚେକଅପ ସମୟରେ ନିଜର ସମସ୍ତ ଶାରୀରିକ ସମସ୍ୟା ବିଷୟରେ ଡାକ୍ତରଙ୍କ ସହ ବିଶଦ ଭାବରେ ଆଲୋଚନା କରିବା ଦରକାର। ବୟସ ବଢ଼ିବା ସହ ନିଜକୁ ଅବସାଦ, ଟେନସନଠାରୁ ଯେତେ ଦୂରେଇ ରଖିବେ ତାହା ସେତେ ଭଲ। ଏହି ସମୟରେ ନିଜକୁ ସୁସ୍ଥ ରଖିବାକୁ ନିଜର ଦୈନନ୍ଦିନ ଜୀବନଶୈଳୀ ଉପରେ ନଜର ରଖନ୍ତୁ। ପ୍ରତିଦିନ ସକାଳେ କିଛି ସମୟ ଚାଲବୁଲ କରନ୍ତୁ। ନିଜର ଖାଦ୍ୟପେୟ ପ୍ରତି ମଧ୍ୟ ସତର୍କ ରହିବା ନିହାତି ଜରୁରୀ। ସବୁଠାରୁ ବଡ କଥା ହେଲା ବୟସ ବଢ଼ିବା ସହ ଆଲଜିମର୍ସ ପରି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଅବଗତ ହେବା ଦରକାର।
ବିଶ୍ୱରେ ଆଲଜିମର୍ସ ରୋଗୀଙ୍କ ସଂଖ୍ୟାର ବୃଦ୍ଧି ଦେଖି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଲୋକମାନେ କିପରି ଏହି ରୋଗ ବିଷୟରେ ଆରମ୍ଭରୁ ସଚେତନ ହେବ ତାହା ଉପରେ ଗୁରୁତ୍ୱ ଦେଇଆସିଛି। ତେଣୁ ଆମେ ଏ ନେଇ ଅଧିକ ଦୃଷ୍ଟି ଦେଲେ ଭବିଷ୍ୟତରେ ଆଲଜିମର୍ସ ରୋଗଠାରୁ ନିଜକୁ ଅନେକାଂଶରେ ଦୂରେଇ ରଖିପାରିବା।