ବନ୍ୟପ୍ରାଣୀଙ୍କ ସୁରକ୍ଷା ନେଇ ସଚେତନ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମ ନୋଡାଲ ହାଇସ୍କୁଲ ପରିସରରେ ବନ୍ୟପ୍ରାଣୀ ସପ୍ତାହ ସମ୍ପର୍କିତ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଗଜପତି ଜିଲା ପାରଳାଖେମୁଣ୍ଡି ବନଖଣ୍ଡର ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ୭୨ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଆୟୋଜିତ ସଭାରେ ହାଇସ୍କୁଲ ପ୍ରଧାନଶିକ୍ଷକ ରାଜୀବ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଏହି ସଭାରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବନ୍ୟପ୍ରାଣୀ ସପ୍ତାହ ଏବଂ ବନ୍ୟପ୍ରାଣୀଙ୍କ ସୁରକ୍ଷା ସମ୍ପର୍କରେ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସଚେତନ କରିଥିଲେ। ସହଦେବ ଟିକରପଡ଼ା ଗ୍ରାମ ତଥା ନିକଟସ୍ଥ ଅଞ୍ଚଳରେ ବୃଦ୍ଧି ପାଇଥିବା କୃଷ୍ଣସାର ମୃଗ ଏବଂ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ନିମନ୍ତେ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯାଇଥିଲା। ସରପଞ୍ଚ ପ୍ରତିନିଧି ଶ୍ୟାମ ନାୟକଙ୍କ ସମେତ ହାଇସ୍କୁଲ ପରିଚାଳନା କମିଟି ସଭାପତି ଲବ କୁମାର ପାତ୍ର ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ଥିଲେ। ପରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସଚେତନତା ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ଫରେଷ୍ଟର ଦେବାଶିଷ ଶତପଥୀ, ସୁଧାକର କଣ୍ଡାଳୁ, ଦୂର୍ଯୋଧନ ଜେନା, ଫରେଷ୍ଟଗାର୍ଡ ଗିରିଜା ଶଙ୍କର ଦୋରା, ଲକ୍ଷପତି ଗମାଙ୍ଗ, ଯଶକେତନ ବରାହା, ସରୋଜ ମଳିକ, କେ. ଗଣେଶ, ପ୍ରଭାତ ଓରାମ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଛାତ୍ର ବିକାଶ ଦଳାଇ, ଦିବ୍ୟ ପ୍ରଭାବ ମହାପାତ୍ର ଏବଂ ହାଇସ୍କୁଲର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ସମେତ ବନବିଭାଗର ପାରା କର୍ମଚାରୀମାନେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share