ଗ୍ୟାସ୍‌ ସିଲିଣ୍ଡର ଲିକ୍‌ ହେଲେ ଭୁଲରେ ବି କରନ୍ତୁ ନାହିଁ ଏହି ୫ କାମ, ସାମାନ୍ୟ ଅସାବଧାନତା ଯୋଗୁ…

ଆଜିର ସମୟରେ ଏଲପିଜି ଗ୍ୟାସ ସିଲିଣ୍ଡର (LPG Gas Cylinder) ପ୍ରାୟ ସମସ୍ତଙ୍କ ରୋଷେଇ ଘରର ଏକ ଅପରିହାର୍ଯ୍ୟ ଅଂଶ ପାଲଟିଛି। କିନ୍ତୁ ଏହାର ବ୍ୟବହାରରେ ସାମାନ୍ୟ ଅବହେଳା ମଧ୍ୟ ବଡ଼ ଧରଣର ଦୁର୍ଘଟଣାର କାରଣ ସାଜିପାରେ। ଅନେକ ସମୟରେ ରେଗୁଲେଟର, ପାଇପ କିମ୍ବା ସିଲିଣ୍ଡରରେ ତ୍ରୁଟି ଯୋଗୁ ଗ୍ୟାସ ଲିକ୍‌ (Gas Leak) ହେବାକୁ ଲାଗେ। ଏଭଳି ସ୍ଥିତିରେ ଭୟଭୀତ ନ ହୋଇ ଧୌର୍ଯ୍ୟ ସହ ସଠିକ ପଦକ୍ଷେପ ନେବା ଜରୁରୀ। ଅଜ୍ଞତାବଶତଃ ଲୋକେ ଏପରି କିଛି ଭୁଲ କରିବସନ୍ତି ଯାହା ନିଆଁ ଲାଗିବା ବା ବିସ୍ଫୋରଣ ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ।

ଗ୍ୟାସ ଲିକ ହେବା ସମୟରେ କେଉଁସବୁ ଭୁଲ୍‌ରୁ ଦୂରେଇ ରହିବା ଉଚିତ:

୧. ବିଦ୍ୟୁତ ସୁଇଚ୍‌ ଅନ୍‌ କିମ୍ବା ଅଫ୍‌ କରନ୍ତୁ ନାହିଁ:
ଗ୍ୟାସ ଲିକ୍‌ ହେବା ସମୟରେ ସବୁଠାରୁ ବଡ଼ ଭୁଲ ହେଉଛି ଲାଇଟ୍‌ ବା ଫ୍ୟାନ୍‌ ସୁଇଚ୍‌ ବ୍ୟବହାର କରିବା। ଅନେକ ଲୋକ ଭୟରେ ବା ଗ୍ୟାସ୍‌କୁ ବାହାର କରିବା ପାଇଁ ତୁରନ୍ତ ଫ୍ୟାନ୍‌ ଅନ୍‌ କରିଦିଅନ୍ତି କିମ୍ବା ଲାଇଟ ବନ୍ଦ କରିଦିଅନ୍ତି। ଏପରି କରିବା ଦ୍ୱାରା ସୁଇଚ୍‌ ଭିତରେ ସୃଷ୍ଟି ହେଉଥିବା ସାମାନ୍ୟ ସ୍ପାର୍କ (ଚିଙ୍ଗାରୀ) ମଧ୍ୟ ବାୟୁରେ ବ୍ୟାପିଥିବା ଗ୍ୟାସ୍‌ରେ ନିଆଁ ଲଗାଇବା ପାଇଁ ଯଥେଷ୍ଟ। ଗ୍ୟାସ ଗନ୍ଧ ଆସିଲେ କୌଣସି ବି ଇଲେକ୍ଟ୍ରିକାଲ ସୁଇଚ୍‌, ପ୍ଲଗ୍‌ କିମ୍ବା କଲିଂ ବେଲ୍‌କୁ ଆଦୌ ଛୁଅନ୍ତୁ ନାହିଁ।

୨. ଦିଆସିଲି, ଲାଇଟର୍‌ କିମ୍ବା ମହମବତି ଜଳାନ୍ତୁ ନାହିଁ:
କେଉଁ ଜାଗାରୁ ଗ୍ୟାସ ଲିକ୍‌ ହେଉଛି ତାହା ଦେଖିବା ପାଇଁ କିଛି ଲୋକ ଦିଆସିଲି କିମ୍ବା ଲାଇଟର୍‌ ଜଳାଇ ଯାଞ୍ଚ କରିବାକୁ ଚେଷ୍ଟା କରନ୍ତି। ଏହା ଅତ୍ୟନ୍ତ ସଂଘାତିକ ସାବ୍ୟସ୍ତ ହୋଇପାରେ। ଯଦି ଗ୍ୟାସ ଘର ସାରା ବ୍ୟାପିଥାଏ, ତେବେ ଗୋଟିଏ ସାମାନ୍ୟ ନିଆଁ ସ୍ଫୁଲିଙ୍ଗ ଯୋଗୁ ଆଖିପିଛୁଳାକେ ବଡ଼ ବିସ୍ଫୋରଣ ଘଟିପାରେ।

୩. କବାଟ ଓ ଝରକା ବନ୍ଦ ରଖନ୍ତୁ ନାହିଁ:
ଗ୍ୟାସ୍‌ ରିସାବ ହେଲେ କେତେକ ଲୋକ ଗ୍ୟାସ ବାହାରକୁ ନ ଯାଉ ବୋଲି ଭାବି କବାଟ-ଝରକା ବନ୍ଦ କରିଦିଅନ୍ତି। ଏହାଦ୍ୱାରା ଘର ଭିତରେ ଗ୍ୟାସ ଜମା ହୋଇ ରହେ ଏବଂ ବିପଦ ଆହୁରି ବଢ଼ିଯାଏ। ଏଭଳି ସ୍ଥିତିରେ ତୁରନ୍ତ ଘରର ସମସ୍ତ କବାଟ ଓ ଝରକା ଖୋଲି ଦିଅନ୍ତୁ, ଯେପରି ଗ୍ୟାସ ବାହାରକୁ ଚାଲିଯିବ ଏବଂ ତାଜା ପବନ ଭିତରକୁ ଆସିପାରିବ।

୪. ମୋବାଇଲ ଫୋନର ବ୍ୟବହାର କରନ୍ତୁ ନାହିଁ:
ଯଦିଓ ସ୍ମାର୍ଟଫୋନ ସାଧାରଣତଃ ସୁରକ୍ଷିତ, ତଥାପି ଗ୍ୟାସ ଲିକ ହେଉଥିବା ସ୍ଥାନରେ ରହି କଲ୍‌ କରିବା ବା ଫୋନ୍‌ ବ୍ୟବହାର କରିବା ବିପଦମୁକ୍ତ ନୁହେଁ। ଗ୍ୟାସ୍‌ ଲିକ୍‌ ହେଉଥିବା ରୁମ୍‌ରୁ ବାହାରକୁ ଆସି ସୁରକ୍ଷିତ ସ୍ଥାନରେ ରହି ଗ୍ୟାସ ଏଜେନ୍ସି, ଜରୁରୀକାଳୀନ ସେବା କିମ୍ବା ପରିବାରଲୋକଙ୍କ ସହ ଯୋଗାଯୋଗ କରନ୍ତୁ।

୫. ଗ୍ୟାସ ଲିକ୍‌କୁ ହାଲୁକା ଭାବେ ନିଅନ୍ତୁ ନାହିଁ:
ଅନେକ ସମୟରେ ସାମାନ୍ୟ ଗ୍ୟାସ ଗନ୍ଧ ଆସିଲେ ଲୋକେ ଭାବନ୍ତି ଯେ ଏହା ଆପେ ଆପେ ଠିକ୍‌ ହୋଇଯିବ ଏବଂ ଏହାକୁ ଅଣଦେଖା କରନ୍ତି। ଏହି ଅବହେଳା ସବୁଠାରୁ ବିପଜ୍ଜନକ। ଯଦି ଗ୍ୟାସ ଗନ୍ଧ କ୍ରମାଗତ ଭାବେ ଆସୁଥାଏ, ତେବେ ପ୍ରଥମେ ରେଗୁଲେଟର ବନ୍ଦ କରନ୍ତୁ। ଯଦି ସମ୍ଭବ ସିଲିଣ୍ଡରର ସେଫ୍ଟି କ୍ୟାପ୍‌ ଲଗାଇ ଦିଅନ୍ତୁ ଏବଂ ତୁରନ୍ତ ଗ୍ୟାସ ମେକାନିକ ବା ଏଜେନ୍ସିକୁ ଖବର ଦିଅନ୍ତୁ।

କେମିତି ଚିହ୍ନିବେ ଗ୍ୟାସ ଲିକ?
ଏଲପିଜି ଗ୍ୟାସ୍‌ର ନିଜସ୍ବ କୌଣସି ଗନ୍ଧ ନ ଥାଏ, କିନ୍ତୁ ଲିକ୍‌ ଜାଣିବା ପାଇଁ ଏଥିରେ ଏକ ବିଶେଷ ଗନ୍ଧଯୁକ୍ତ କେମିକାଲ (Mercaptan) ମିଶାଯାଇଥାଏ। ଯଦି ରୋଷେଇ ଘରେ ପଚା ଅଣ୍ଡା ଭଳି କିମ୍ବା କିଛି କଟା ଗନ୍ଧ ଆସେ, ତେବେ ଜାଣିବେ ଗ୍ୟାସ ଲିକ୍‌ ହେଉଛି। ଏହାଛଡ଼ା ପାଇପ୍‌ ବା ରେଗୁଲେଟର ପାଖରୁ ସୁଁ ସୁଁ ବା ଶିଟି ଭଳି ଶବ୍ଦ ଆସିବା ମଧ୍ୟ ଗ୍ୟାସ ଲିକ୍‌ର ସଙ୍କେତ ଅଟେ।

Dharitri – Odisha’s No.1 Odia Daily

Share