ଅଟୋନଗର ଓଭରବ୍ରିଜ୍‌ ରାସ୍ତା ପାଲଟିଛି ପାର୍କିଂ ଜୋନ୍‌

ଗୋପାଳପୁର,୧୩।୫(ଡି.ଏନ.ଏ.): ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’ ନାଁରେ ଗମନାଗମନ ସୁବିଧା ଓ ଦୁର୍ଘଟଣା ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ସଡ଼କ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ କେଉଁଠି ପରିବହନ ବିଭାଗ ଓ ପୋଲିସର ଟ୍ରାଫିକ ନିୟନ୍ତ୍ରଣରେ ଖାମଖିଆଲ ନୀତି ଯୋଗୁ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଆନ୍ଧ୍ର୍‌ପ୍ରଦେଶ ଓ ଓଡ଼ିଶାକୁ ସଂଯୋଗ କରୁଥିବା ୧୬ ନଂ. ଜାତୀୟ ରାଜପଥ ଅଟୋନଗର ଓଭରବ୍ରିଜରେ। ହଳଦିଆପଦର ଓଭରବ୍ରିଜ ପାଲଟିଛି ଏକପ୍ରକାର ପାର୍କିଂ ଜୋନ୍‌। ହଳଦିଆପଦର ନୂଆ ବସଷ୍ଟାଣ୍ଡ ତଥା ଅସ୍ଥାୟୀ କନିଷି ତହସିଲ କାର୍ଯ୍ୟାଳୟ ସଂଯୋଗ କରୁଥିବା ରାସ୍ତାରେ ଥିବା ଓଭରବ୍ରିଜ ତଳେ ମାଳମାଳ ଟ୍ରକ ଓ ବିଭିନ୍ନ ଯାନବାହନ ବେଆଇନ ପାର୍କିଂ କରିବା ଫଳରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ବେଆଇନ ପାର୍କିଂ ଯୋଗୁ ଧୂଳି ଧୂସର ଉଡି ପରିବେଶ ପ୍ରଦୂଷଣ ହେବା ସହ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ପଥଚାରୀ। ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଓଭରବ୍ରିଜ ତଳ ଦେଇ ରାଜନେତାଙ୍କଠାରୁ ଆରମ୍ଭକରି ପ୍ରଶାସନିକ ଅଧିକାରୀ, ପୋଲିସ, ପରିବହନ ବିଭାଗ ଅଧିକାରୀ ଯାତାୟାତ କରୁଥିବା ବେଳେ ଏଥିପ୍ରତି କାହାର ଦୃଷ୍ଟି ନ ପଡିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଖୋଦ ହାଇୱେରେ ପାଟ୍ରୋଲିଂ କରୁଥିବା ପିସିଆର ଭ୍ୟାନ ଉକ୍ତ ସ୍ଥାନରେ ପାର୍କିଂ କରିବା ଓ ଘଟଣାକୁ ଧ୍ୟାନ ନ ଦେବା ଚର୍ଚ୍ଚା ହେଉଛି। ପ୍ରତିଦିନ ଶତାଧିକ ଯାନବାହନ ତହସିଲ କାର୍ଯ୍ୟାଳୟ, ଅଟୋନଗର, ମଦନମୋହନପୁର ଆଦିକୁ ଯିବା ଆସିବା କରୁଥିବା ବେଳେ ଏଭଳି ପାର୍କିଂ ଯୋଗୁ ଦୁର୍ଘଟଣା ଘଟୁଥିବା ବେଳେ ପରିବହନ ବିଭାଗ ପକ୍ଷରୁ ବେଆଇନ ପାର୍କିଂ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ଅନ୍ୟପଟେ ନୂଆ ବସଷ୍ଟାଣ୍ଡ ରାସ୍ତାର ଦୁଇ ପାର୍ଶ୍ୱ ରୋଡ଼କୁ କବ୍‌ଜା କରି ମାଳମାଳ ଟ୍ରକ ପାର୍କିଂ କରୁଥିବା ବେଳେ ରାତି ହେଲେ ଅନ୍ଧାରର ସୁଯୋଗ ନେଇ ଟ୍ରକ ସାଇଡରେ ମଦ୍ୟପମାନଙ୍କ ଆଡ୍ଡା ଜମିବା ସହ ଦୌରାତ୍ମ୍ୟ ବୃଦ୍ଧି ପାଉଛି। ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି, ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ଯଦି ବ୍ରିଜ ତଳେ ଓ ତହସିଲ କାର୍ଯ୍ୟାଳୟ ରାସ୍ତା ଅବରୋଧ କରି ଗାଡି ପାର୍କିଂ କରିଥିବେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ଗଞ୍ଜାମ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁଙ୍କ ସହ ୯୪୩୭୩୨୩୮୭୭ରେ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ରିସିଭ କରି ନ ଥିଲେ। ଅଭିଯୋଗ ପରେ ଯଦି
ପ୍ରଶାସନ ପକ୍ଷରୁ ଆଗାମୀ ଦିନରେ ଉକ୍ତ ସ୍ଥାନରୁ ପାର୍କିଂ ହଟା ନ ଯାଏ ଓ କିଛି ଦୁର୍ଘଟଣା ଘଟେ ତେବେ ରାଜରାସ୍ତାରେ ଆନ୍ଦୋଳନ କରାଯିବ ବୋଲି ହଳଦିଆପଦର ସମିତି ସଭ୍ୟ କେ. ପ୍ରବୀଣ କୁମାର ଚେତାବନୀ ଦେଇଛନ୍ତି। ଅନ୍ୟପଟେ ତୁରନ୍ତ ରାଜପଥରୁ ଯୁଦ୍ଧକାଳୀନ ଭିତ୍ତିରେ ବେଆଇନ ପାର୍କିଂ ହଟେଇବାକୁ ସାଧାରଣରେ ଦାବି ହୋଇଛି।