ସବ୍‌ଜେଲ ସମ୍ମୁଖରୁ କଫ୍‌ସିରପ୍‌ ବୋଝେଇ ଅଟୋ ଜବତ: ୨ ଗିରଫ

ବରଗଡ଼ ଅଫିସ,୧୦ା୯: ବରଗଡ଼ ଟାଉନ ଥାନା ପୋଲିସ ଶନିବାର ବିପୁଳ ପରିମାଣରେ କଫ୍‌ସିରପ୍‌ ଜବତ କରିଛି। ବରଗଡ଼ ସହରକୁ ଏକ ଅଟୋ ଯୋଗେ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ସବ୍‌ଜେଲ୍‌ ସମ୍ମୁଖରୁ କଫ୍‌ସିରପ୍‌ ବୋଝେଇ ଅଟୋକୁ ପୋଲିସ ଜବତ କରିଛି। ସେହିପରି ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ସଦର ଥାନା ସହରାପାଲି ଆମ୍ବେଦକର ନଗର ନିବାସୀ ଦିଲ୍ଲୀପ ଦୀପ ଏବଂ ବରଗଡ଼ ଟାଉନ ଥାନା ଟାଙ୍ଗରପଡ଼ା ନିବାସୀ ପ୍ରଭାତ ବାଗ। ସେମାନଙ୍କ ପାଖରୁ ୫ଟି କାର୍ଟୁନରେ ଥିବା ୮୦୦ ବୋତଲ କଫ୍‌ସିରପ୍‌, ଗୋଟିଏ ଅଟୋ, ଗୋଟିଏ ସ୍କୁଟି, ୨ଟି ମୋବାଇଲ, ନଗଦ ୪୧୨୦ ଟଙ୍କା ଜବତ ହୋଇଛି ବୋଲି ଖବରଦାତା ସମ୍ମିଳନୀରେ ବରଗଡ଼ ଟାଉନ ଥାନା ଆଇଆଇସି ସତ୍ୟଜିତ୍‌ କଣ୍ଡନକେଲ ସୂଚନା ଦେଇଛନ୍ତି।