ସାଲେପୁର,୧୬।୯(ଅରବିନ୍ଦ ଭୂୟାଁ): ସାଲେପୁର ଆଦର୍ଶ ସ୍କୁଲ ପିଲାମାନଙ୍କୁ ନେଇ ଯାଉଥିବା ଏକ ଅଟୋ ମଙ୍ଗଳବାର ସକାଳେ କେନ୍ଦ୍ରାପଡ଼ା କେନାଲରର ଶାଖା କେନାଲକୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନେ ପିଲାମାନଙ୍କ ସମେତ ଡ୍ରାଇଭରଙ୍କୁ ଉଦ୍ଧାର କରିବା ସହିତ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଘଟଣା ଘଟିଛି ସ୍ଥାନୀୟ ବାଲିସାହି ପଞ୍ଚାୟତର କୈବତ୍ତସାହି ଶାଖା କେନାଲ ରୋଡ ପାଖରେ। ଅଟୋରେ ୧୦ରୁ ଊର୍ଦ୍ଧ୍ୱ ପିଲା ଥିବା ଜଣାଯାଇଛି। ପିଲାମାନଙ୍କୁ ସାମାନ୍ୟ ଆଘାତ ଲାଗିଥିବାରୁ ସେମାନଙ୍କୁ ଚିକିତ୍ସା କରାଯାଉଥିବା ବେଳେ ଡ୍ରାଇଭର ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଇଦିଆଯାଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଟୋ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି।


