ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର ଦିନ ଭଡ଼ା ବୃଦ୍ଧି ନେଇ ଆଦେଶ ଜାରି କରିଛନ୍ତି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ର ଜଣେ ଅଧିକାରୀ କହିଛନ୍ତି ଯେ ମୁମ୍ୱାଇ ମହାନଗର କ୍ଷେତ୍ର ପରିବହନ ପ୍ରାଧିକରଣ (MMRTA) ଟ୍ୟାକ୍ସି ଭଡ଼ାରେ ୨ ଟଙ୍କା ଏବଂ ଅଟୋ ରିକ୍ସା ଭଡ଼ାରେ ୧ ଟଙ୍କା ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି।
୧ ସେପ୍ଟେମ୍ୱରରୁ କେତେ ଦେବାକୁ ପଡ଼ିବ ଭଡ଼ା
ଅଧିକାରୀ ଜଣକ ଜଣାଇଛନ୍ତି ଯେ ଟ୍ୟାକ୍ସିରେ ପ୍ରାରମ୍ଭିକ ୧.୫ କିଲୋମିଟର ଯାତ୍ରା ପାଇଁ ସର୍ୱନିମ୍ନ ଭଡ଼ା ୩୧ ଟଙ୍କାରୁ ବୃଦ୍ଧି ପାଇ ୩୩ ଟଙ୍କା ହୋଇଯିବ। ସେହିପରି ଅଟୋ ରିକ୍ସାର ସର୍ୱନିମ୍ନ ଭଡ଼ା ୨୬ ଟଙ୍କାରୁ ବୃଦ୍ଧି ପାଇ ୨୭ ଟଙ୍କା ହେବ। ମହାରାଷ୍ଟ୍ର ପରିବହନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁମ୍ୱାଇ ମହାନଗର କ୍ଷେତ୍ର ପରିବହନ ପ୍ରାଧିକରଣର ବୈଠକ ସମୟରେ ୪ ସଦସ୍ୟବିଶିଷ୍ଟ ଖଟୁଆ କମିଟିରୁ ମିଳିଥିବା ପରାମର୍ଶ ଆଧାରରେ ଗତ ଗୁରୁବାର ଦିନ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା। ବୈଠକର ସମ୍ପୂର୍ଣ୍ଣ ବିବରଣୀକୁ ବୁଧବାର ଦିନ ଅନ୍ତିମ ରୂପ ଦିଆଯାଇଛି।
୨୦.୬୬ ଟଙ୍କାରୁ ବୃଦ୍ଧି ପାଇ ୨୧.୯୦ ଟଙ୍କା ହୋଇଯିବ ଟ୍ୟାକ୍ସିର ପ୍ରତି କିଲୋମିଟର ଭଡ଼ା
ଏହି ନୂତନ ପରିବର୍ତ୍ତନ ପରେ ଟ୍ୟାକ୍ସିର ପ୍ରତି କିଲୋମିଟର ଭଡ଼ା ୨୦.୬୬ ଟଙ୍କାରୁ ବୃଦ୍ଧି ପାଇ ୨୧.୯୦ ଟଙ୍କା ହୋଇଯିବ। ସେହିଭଳି ଅଟୋ ରିକ୍ସାର ଭଡ଼ା ପ୍ରତି କିଲୋମିଟର ୧୭.୧୪ ଟଙ୍କାରୁ ବୃଦ୍ଧି କରାଯାଇ ୧୮.୨୨ ଟଙ୍କା କରାଯାଇଛି। RTO ଅଧିକାରୀ ଜଣକ କହିଛନ୍ତି ଯେ ଇଲେକ୍ଟ୍ରୋନିକ ମିଟରକୁ ନୂଆ ରେଟ ଅନୁସାରେ କ୍ୟାଲିବ୍ରେଟ (ସେଟିଂ) କରିବା ପରେ ହିଁ ନୂଆ ଭଡ଼ା ଆଦାୟ କରାଯାଇପାରିବ। ଏଥିପାଇଁ ୧ ସେପ୍ଟେମ୍ୱରରୁ ନଭେମ୍ୱର ଶେଷ ପର୍ଯ୍ୟନ୍ତ ସମୟ ଦିଆଯାଇଛି।
ର୍ନିଦ୍ଧାରିତ ସମୟରେ ମିଟର କ୍ୟାଲିବ୍ରେସନ ନକଲେ ଡ୍ରାଇଭରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ
ଅଧିକାରୀ କହିଛନ୍ତି ଯେ ର୍ନିଦ୍ଧାରିତ ସମୟସୀମା ମଧ୍ୟରେ ମିଟର କ୍ୟାଲିବ୍ରେସନ ନକରୁଥିବା ଡ୍ରାଇଭରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଜରିମାନା ଲଗାଯାଇପାରେ। ମୁମ୍ୱାଇ ମହାନଗର କ୍ଷେତ୍ରରେ ଏହା ପୂର୍ୱରୁ ୧ ଫେବ୍ରୁଆରୀ ୨୦୨୫ ରୁ ଟ୍ୟାକ୍ସି ଏବଂ ଅଟୋ ରିକ୍ସା ଭଡ଼ାରେ ୩-୩ ଟଙ୍କା ବୃଦ୍ଧି ଲାଗୁ ହୋଇଥିଲା। ପ୍ରାୟ ୧୮ ମାସ ପରେ ପୁଣି ଥରେ ଭଡ଼ାରେ ବୃଦ୍ଧି କରାଯାଇଛି। ଏହି ମଧ୍ୟରେ, ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଅଟୋ ରିକ୍ସା ଏବଂ କ୍ୟାବ ଡ୍ରାଇଭରମାନଙ୍କ ମରାଠୀ ଭାଷା କହିବାର ଦକ୍ଷତା ସମ୍ୱନ୍ଧୀୟ ଯାଞ୍ଚ ମଧ୍ୟ କରାଯାଉଛି।