Categories: ଖେଳ

୬୩ ରନରେ ୭ ଉଇକେଟ୍‌ ହରାଇ ମ୍ୟାଚ୍‌ ହାରିଲା ଅଷ୍ଟ୍ରେଲିଆ

ମାଞ୍ଚେଷ୍ଟର, ୧୪।୯: ଘରୋଇ ଇଂଲଣ୍ଡ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୨୪ ରନରେ ହାରିଯାଇଛି। ଏହି ଲୋ-ସ୍କୋରିଂ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଇଅନ ମୋର୍ଗାନଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ୫୦ ଓଭରରେ ୯ ଉଇକେଟ୍‌ ହରାଇ ୨୩୧ ରନ କରିଥିଲା। ଅଧିନାୟକ ମୋର୍ଗାନ ସର୍ବାଧିକ ୪୨ ରନ କରିଥିବାବେଳେ ନିମ୍ନକ୍ରମରେ ଟମ୍‌ କୁରାନ୍‌ (୩୭ ରନ) ଓ ଆଡିଲ ରଶିଦ୍‌ (୩୫) ପ୍ରଭାବୀ ବ୍ୟାଟିଂ କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ଏକଦା ୩୦ ଓଭର ସୁଦ୍ଧା ୨ ଉଇକେଟ୍‌ ବିନିମୟରେ ୧୪୪ ରନ ସଂଗ୍ରହ କରି ଦୃଢ଼ ସ୍ଥିତିରେ ଥିଲା। ମାର୍କସ ଷ୍ଟୋଇନିସ (୪୮) ଓ ଅଧିନାୟକ ଆରୋନ ଫିଞ୍ଚ୍‌ (୭୩) ୩ ଉଇକେଟ୍‌ରେ ୧୦୭ ରନ ସଂଗ୍ରହ କରି ଦଳକୁ ବିଜୟ ନିକଟତର କରାଇ ନେଇଥିଲେ। କିନ୍ତୁ ଏହାପରେ ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ୍‌ ଅପ୍‌ ତାସ୍‌ ଘର ପରି ଭୁଷୁଡ଼ିଗଲା। ଦଳୀୟ ସ୍କୋରରେ ଆଉ ୬୩ ରନ ଯୋଗ କରି ଅଷ୍ଟ୍ରେଲିଆ ୨୦୭ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଫଳରେ ଇଂଲଣ୍ଡ ନାଟକୀୟ ଭାବେ ୨୪ ରନରେ ମ୍ୟାଚ୍‌ ଜିତିନେଇ ସିରିଜକୁ ୧-୧ ବରାବର୍‌ସ୍ତରକୁ ଆଣିବାରେ ସଫଳ ହୋଇଥିଲା। ଇଂଲଣ୍ଡ ପକ୍ଷରୁ କ୍ରିସ୍‌ ଓ୍ବକ୍ସ, ଜୋଫ୍ରା ଆର୍ଚର ଓ ସାମ୍‌ କୁରାନ ୩ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ।

Share