Categories: ଖେଳ

ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ

ସିଡ଼ନୀ,୬।୯: ବର୍ତ୍ତମାନ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌କୁ ଏକ ମାସରୁ କମ ସମୟ ବାକି ଅଛି। ଏହି ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ମେଗା ଇଭେଣ୍ଟ ପାଇଁ ଏହାର ୧୫ ଖେଳାଳିଙ୍କ ନାମ ଘୋଷଣା କରିଛି। ଅଷ୍ଟ୍ରେଲିଆ ପାଖରେ ୨୭ସେପ୍ଟେମ୍ବର ପର୍ଯ୍ୟନ୍ତ ଦଳରେ ପରିବର୍ତ୍ତନ କରିବାର ସୁଯୋଗ ରହିଛି। ଗତ ମାସ ଆରମ୍ଭରେ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଥିଲା ।

୫ ଥର ଦିନିକିଆ ବିଶ୍ୱକପ୍‌ ଟାଇଟଲ ଜିତିଥିବା ଅଷ୍ଟ୍ରେଲିଆର ଏହି ଦଳରେ ସ୍ଥାନ ପାଇନଥିବା ଖେଳାଳିଙ୍କ ମଧ୍ୟରେ ଦ୍ରୁତ ବୋଲର ଆରୋନ ହାର୍ଡି, ଅଲରାଉଣ୍ଡର ନେଥନ ଏଲିସ ଏବଂ ଭାରତୀୟ ମୂଳ ସ୍ପିନର ତନବୀର ସାଂଘାଙ୍କ ନାମ ରହିଛି। ଏହା ବ୍ୟତୀତ ଯେତେବେଳେ ୧୮ ଜଣିଆ ଦଳ ଘୋଷଣା କରାଯାଇଥିଲା, ସେତେବେଳେ ମାର୍ନସ ଲାବୁସେନ ସ୍ଥାନ ନ ପାଇବା ସମସ୍ତଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଥିଲା, ଯିଏକି ଏହି ୧୫ ସଦସ୍ୟ ବିଶିଷ୍ଟ ଦଳରେ ମଧ୍ୟ ସାମିଲ ହୋଇନାହାନ୍ତି।

ଅଷ୍ଟ୍ରେଲିଆ ନିଜର ଦିନିକିଆ ବିଶ୍ୱକପ ଦଳରେ ୪ ଦ୍ରୁତ ବୋଲରଙ୍କୁ ସ୍ଥାନ ଦେଇଛି, ଯେଉଁଥିରେ ଅଧିନାୟକ ପ୍ୟାଟ କମିନ୍ସଙ୍କ ବ୍ୟତୀତ ଜୋଶ ହାଜଲେଉଡ, ମିଚେଲ ଷ୍ଟୋର୍କ ଏବଂ ସିନ ଆବଟ୍ଟଙ୍କ ନାମ ସାମିଲ। ଏହା ବ୍ୟତୀତ ଗ୍ଲେନ ମ୍ୟାକ୍ସୱେଲ ପ୍ରଥମ ସ୍ପିନ ଅଲରାଉଣ୍ଡର ଭାବରେ ଦଳରେ ସ୍ଥାନ ପାଇଛନ୍ତି।

Share